ଡୁଙ୍ଗୁରିପାଲି,୪।୧(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ୨୬ ନମ୍ବର ଜାତୀୟ ରାଜପଥ ଚେରୁପାଲି ଅଙ୍ଗନଦୀ ବ୍ରିଜ ଉପରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଗାଜର ବୋଝେଇ ପିକଅପ୍ ଗାଡି ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା କକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଥାନା ଚରଦା ଗ୍ରାମର ପାର୍ଥ ବାଗ(୧୫) ଏବଂ କକା ଭଜନ ବାଗ(୩୦)।
ମିଳିଥିବା ସୂଚନା ମୁତାବକ, କକା-ପୁତୁରା ଝିଆରୀର ବିବାହ ନିମନ୍ତ୍ରଣ କାର୍ଡ ବଣ୍ଟନ କରି ବଲାଙ୍ଗୀରରୁ ଘରକୁ ଫେରୁ ଥିବାବେଳେ ବରଗଡରୁ ଆସୁଥିବା ଏକ ଗାଜର ବୋଝେଇ ମହିନ୍ଦ୍ରା ପିକଅପ୍ ଗାଡି ସହ ଅଙ୍ଗନଦୀ ବ୍ରିଜ ଉପରେ ମୁହିଁମୁହିଁ ଧକ୍କା ହୋଇଥିଲା। ଫଳରେ ଗାଜର ବୋଝେଇ ମହିନ୍ଦ୍ରା ପିକଅଫ ଗାଡି(ନଂ OD03 W-3941) ଏବଂ ବାଇକ୍(ନଂ. OD03 P-4355) ଓଲଟି ପଡିଥିଲା। ଏଥିରେ କାକା-ପୁତୁରା ଗୁରୁତର ଆହତ ହୋଇଥିଲେ।
ଖବର ପାଇଁ ଡୁଙ୍ଗୁରିପାଲି ପୋଲିସ ଉଭୟଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୁତୁରା ପାର୍ଥଙ୍କ ମୃତ୍ୟୁ ଘଟିଥିବା ବେଳେ କାକା ଭଜନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ବେଳେ ବରଗଡ଼ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଡୁଙ୍ଗୁରିପାଲି ପୋଲିସ ପିକଅପ୍ ଏବଂ ବାଇକ୍କୁ ଜବତ କରି କରିଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ପିକଅପ୍ ଡ୍ରାଇଭର ବୈକୁଣ୍ଠ ପଧାନଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଅଧିକାରୀ ରୋଜାଲିନ ପଟେଲ ପ୍ରକାଶ କରିଛନ୍ତି।


