ଧକ୍କା ଦେଲା ପିକ୍‌ଅପ: ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ,୧୩ା୧- ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି। ନୂଆବର୍ଷର ପ୍ରଥମ ଦିନ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ରାସ୍ତାରେ ଟ୍ରକ ଧକ୍କାରେ କେଦାର ଚନ୍ଦ୍ର ପୋଲାଇଙ୍କ ମୃତ୍ୟୁ ଘଟିଥିଲା। ଏହାର ଦିନକ ପରେ ଅର୍ଥାତ୍‌ ଗତ ୨ ତାରିଖରେ ଜାତୀୟ ରାଜପଥରେ ଏକ ଘରୋଇ କଲେଜ ବସ ଧକ୍କାରେ ସେହି କଲେଜର କର୍ମଚାରୀ ଦୁର୍ଯ୍ୟୋଧନ ବେହେରାଙ୍କ ଜୀବନ ଚାଲିଯାଇଥିଲା।

ଶୁକ୍ରବାର ସ୍ଥାନୀୟ ହରଡ଼ାଖଣ୍ଡି ଛକରେ ଏକ ପିକଅପ ୩ ଜଣଙ୍କୁ ଧକ୍କା ଦେଇଥିଲା। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସାଇକେଲ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଆଉ ଜଣେ ସ୍କୁଟି ଚାଳକ ଗାଡ଼ିରୁ ଡେଇଁ ପଡ଼ିଥିବାରୁ ରକ୍ଷା ପାଇଯାଇଛନ୍ତି। ତାଙ୍କ ଗାଡ଼ିଟି ଚୂରମାର ହୋଇଛି। ମୃତ ଶ୍ରମିକ ଜଣକ ହେଲେ ହରିଡ଼ାଖଣ୍ଡି ଧର୍ମନଗରର ବାବୁଲା ଗୌଡ଼(୪୨)। ଗୁରୁତର ଆହତ ସାଇକେଲ ଚାଳକ ହରିଡ଼ାଖଣ୍ଡିର କାଳୁ ସେଠୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ପିକ୍‌ଅପ ଚାଳକ ଲୋଚାପଡାର ଜଗନ୍ନାଥ ପୃଷ୍ଟିଙ୍କୁ ପୋଲିସ ଗିରଫ କରିଛି। ବେପରୁଆ ଗାଡ଼ିଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

ପ୍ରକାଶ ଯେ, ବାବୁଲା ସବୁଦିନ ଭଳି ଶୁକ୍ରବାର ବଡ ବଜାରକୁ ଶ୍ରମିକ ଭାବେ କାମ କରିବାକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ବାଲୁଙ୍କେଶ୍ୱର ମନ୍ଦିରପଟରୁ ହରିଡାଖଣ୍ଡି ଛକ ଅଭିମୁଖେ ଆସୁଥିବା ପିକଅପ ଭ୍ୟାନ (ଓଡ଼ି ୦୭ ଏଜି ୫୪୭୫) ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଡି ଚାଳକ ଦୁର୍ଘଟଣା ଘଟାଇବା ପରେ ସାଇକେଲ ଚାଳକ କାଳୁ ଓ ପରେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲେ। ପରେ ସ୍ଥାନୀୟ ଲୋକେ ପିକ୍‌ଅପ୍‌କୁ ଅଟକାଇ ଟ୍ରାଫିକ ପୋଲିସ ଜିମା ଦେଇଥିଲେ। ଏ ନେଇ ଥାନାରେ ଏକ ମାମଲା (ନଂ. ୧୦/୨୩) ରୁଜୁ ହୋଇଛି।