ତାରାତାରିଣୀ ଛକରେ ୩ ଅଟୋକୁ ଧକ୍କା ଦେଲା ବାଲି ଟ୍ରକ୍‌; ପୋଲିସ ଭୟରେ ଡ୍ରାଇଭର ଚମ୍ପଟ

ପୁରୁଷୋତ୍ତମପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକଠାରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତ ଗତିରେ ଆସୁଥିବା ଏକ ବାଲିବୋଝେଇ ଟ୍ରକ୍‌(ଓଆର୍‌ ୦୯ଏଫ୍‌ ୯୩୯୫) ଭାରସାମ୍ୟ ହରାଇ ତିନୋଟି ଅଟୋକୁ ଧକ୍କା ଦେଇଛି। ଅଟୋଗୁଡ଼ିକ ଏକ ହୋଟେଲ ସମ୍ମୁଖରେ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଚାଳକମାନେ ଗାଡ଼ିରୁ ଡେଇଁ ପଡ଼ିବା ହେତୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ସେହିଭଳି ସେଠାରେ ଉପସ୍ଥିତ କିଛି ଲୋକ ମଧ୍ୟ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଛନ୍ତି। ଏନେଇ ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।