ମହିଳା ଆଇନଜୀବୀଙ୍କୁ ଜେଲରଙ୍କ ଦୁର୍ବ୍ୟବହାର, ଥାନାରେ ପହଞ୍ଚିଲା ମାମଲା

କେନ୍ଦୁଝର,୪ା୧(ସ୍ବ.ପ୍ର.): ବୁଧବାର ଆଇନଜୀବୀ ଜଗଜିତା ଦାଶ ଓ ଅନ୍ୟ ଜଣେ ଜେଲକୁ ତାଙ୍କର ଜଣେ ମହକିଲଙ୍କୁ ଦେଖା କରିବା ପାଇଁ ଯାଇଥିବାବେଳେ ଜେଲର ମନସ୍ବିନୀ ନାୟକ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବ୍ୟବହାର କରିବା ସହ ଭେଟିବାକୁ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ଏହାକୁ ନେଇ ଓକିଲମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ ଆଇନଜୀବୀ ଜଗଜିତା ଦାଶ ଓ ପ୍ରତୀକ ମିଶ୍ର  ଜେଲରେ ଥିବା ଜଣେ ବିଚାରାଧୀନ ମହକିଲଙ୍କୁ କେସ୍‌ ମାମଲାରେ ଭେଟିବାକୁ ଯାଇଥିଲେ। ତେବେ ଆଜି ଜେଲ୍‌ ଅଧୀକ୍ଷକ ନ ଥିବାରୁ ଦାୟିତ୍ୱରେ ଥିବା ଜେଲର ସେମାନଙ୍କୁ ଭେଟିବାକୁ ଦେଇ ନ ଥିଲେ ଏବଂ ଏନେଇ ପଚାରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି।
ଏହାକୁ ନେଇ ଜଗଜିତା ଜିଲା ଓକିଲ ସଂଘ ନିକଟରେ ଅଭିଯୋଗ କରିବା ପରେ ଅଭିଯୋଗ କପି ଟାଉନ ଥାନାରେ ପ୍ରଦାନ କରାଯାଇଛି। ଏନେଇ ଜଗଜିତା କହିଛନ୍ତି, ସରକାରଙ୍କ ରୁଲ୍‌ ଅନୁଯାୟୀ ଜଣେ ଆଇନଜୀବୀ ଜେଲରେ ଥିବା ତାଙ୍କ ମହକିଲଙ୍କୁ ଭେଟି ପାରିବ। ତେବେ ତାଙ୍କୁ ଭିତରକୁ ନ ଛାଡ଼ି ଜାଲି ବାହାରୁ ଦେଖା କରିବାକୁ ଜେଲର କହିଥିଲେ। ବାହାର ଓକିଲମାନଙ୍କୁ କେଉଁ ସ୍ବାର୍ଥରେ ଛାଡୁଛନ୍ତି କିନ୍ତୁ ଆମକୁ ଛାଡୁନାହାନ୍ତି ବୋଲି ପଚାରିବାରୁ ସେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ। ଏଣୁ ଏନେଇ ଜିଲା ଓକିଲ ସଂଘକୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ ଦେଇଛୁ। ଅନ୍ୟପକ୍ଷରେ ଜେଲର ମନସ୍ବିନୀ ନାୟକ କହିଛନ୍ତି, ଜେଲରେ ବହୁ ସଂଖ୍ୟାରେ କଏଦୀ ରହିଥିବାରୁ ଜାଲି ବାହାରୁ କଥାବାର୍ତ୍ତା ହେବାକୁ ଅନୁରୋଧ କରିଥିଲେ। ସେମାନେ ସହଯୋଗ କରିବା ପରିବର୍ତ୍ତେ ତାଙ୍କୁ ଓଲଟା ଗାଳିଗୁଲଜ କରିଛନ୍ତି। କେସ୍‌ ପାଇଁ ଟଙ୍କା ନେବାକୁ ଆସିଥିବାରୁ ଜଣେ ଓକିଲଙ୍କୁ ଭିତରକୁ ଛଡ଼ାଯାଇଥିଲା। ଅନ୍ୟପକ୍ଷରେ ଏନେଇ ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି,ଅଭିଯୋଗ ମିଳିଛି। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜେଲରଙ୍କ ଏଭଳି ଅଧିବକ୍ତାଙ୍କ ପ୍ରତି ଆଚରଣ ନିନ୍ଦନୀୟ। ଏନେଇ ଜେଲ ଓ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।