ରୁଷିଆ ଅରବପତିଙ୍କୁ ବିଷ ଦିଆଯାଇଥିବା ଆଶଙ୍କା

କିଭ୍‌,୨୯୩: ରୁଷୀୟ ଅରବପତି ରୋମାନ ଆବ୍ରାମୋଭିଚ୍‌ ଏବଂ ୟୁକ୍ରେନ୍‌ର ଦୁଇ ଶାନ୍ତି ପ୍ରତିନିଧିଙ୍କୁ କିଭ୍‌ରେ ବିଷ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଶାନ୍ତି ଆଲୋଚନାକୁ ଭଣ୍ଡୁର କରିବାକୁ ମସ୍କୋ ଏପରି କରିଥାଇପାରେ ବୋଲି ସୋମବାର ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି। ବିଲିୟନେୟାର ରୋମାନ ଆବ୍ରାମୋଭିଚ୍‌ଙ୍କ ଉପରେ ନିକଟରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲେ। ୟୁକ୍ରେନ୍‌ର ଅନୁରୋଧ କ୍ରମେ ଶାନ୍ତି ଆଲୋଚନା ନିମନ୍ତେ ରୋମାନ୍‌ ମାର୍ଚ୍ଚ ୩ରେ କିଭ୍‌ ଯାଇଥିଲେ। ସେ କିଭ୍‌ରେ ୟୁକ୍ରେନ୍‌ର ୨ ପ୍ରତିନିଧିଙ୍କ ସହ ମିଟିଂ କରିବା ପରେ ସମସ୍ତ ୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ଆଖି ଲାଲ ପଡ଼ିଯିବା ସହ ଚର୍ମରୁ ଚୋପା ଛାଡ଼ିବା ଏବଂ ମୁହଁରେ ଅଜବ ଲକ୍ଷଣ ଦେଖାଯାଇଥିଲା ବୋଲି ଏହି ଆମେରିକୀୟ ଖବରକାଗଜ ପ୍ରକାଶ କରିଛି। ବାସ୍ତବରେ ଏହା ପଛରେ କିଏ ରହିଛି ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ମସ୍କୋର କେତେଜଣ କଠୋରପନ୍ଥୀ ଏପରି କାମ କରିଥିବା ସନ୍ଦେହ କରାଯାଉଛି। ସମସ୍ତ ୩ ଜଣ ଏବେ ସୁସ୍ଥ ଅଛନ୍ତି। ତେବେ ହତ୍ୟା ଉଦ୍ଦେଶ୍ୟରେ ନୁହେଁ ବରଂ ସେମାନଙ୍କୁ ଚେତାବନୀ ଦେବା ପାଇଁ ବିଷ ଦିଆଯାଇଥିବା ଅନ୍‌ଲାଇନ ଇନଭେଷ୍ଟିଗେଶନ ସଂସ୍ଥାର କ୍ରିଷ୍ଟୋ ଗ୍ରୋଜେଭ୍‌ କହିଛନ୍ତି।

Share