ମାତିଲେ ଚୋର: ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ନେଇଗଲେ ପ୍ରାୟ ୨ଲକ୍ଷ ଟଙ୍କା

ପୁରୁଷୋତ୍ତମପୁର, ୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପ୍ରାୟ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ସବୁଦିନ ଭଳି ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଜୟସେନ ପାଢୀ କାମସାରି ରାତିରେ ନିଜ ଗ୍ରାମ ବୁର୍ତ୍ତୁଳୁକୁ ଚାଲିଯାଇଥିଲେ। ଏହାର ସୁଯୋଗ ନେଇ ଦୂର୍ବୁତ୍ତମାନେ ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ। ଲୁହା ଆଲମାରିକୁ ଭାଙ୍ଗି ସେଥିରେ ଥିବା ୧ ଲକ୍ଷ ୨୫ ହଜାର ଟଙ୍କା ଓ ଡେବୁଲ ଡ୍ରକୁ ଭାଙ୍ଗି ସେଥିରେ ଥିବା ୭୨ହଜାର ଟଙ୍କା ଚୋରିକରି ନେଇଥିବା ଅଭିଯୋଗ ହୋଇଛି।
ସେହିପରି ୟୁଜିବି ବ୍ୟାଙ୍କର ଛାତ ସିଡି କବାଟ ଭାଙ୍ଗି ପଶି ସିସିଟିଭି ଭାଙ୍ଗିବା ସହ ଲକର ରୁମକୁ ଭାଙ୍ଗିବା ବେଳ ସାଇରନ ବାଜିବାରୁ ଲୋକେ ଉଠିପଡି ଥିଲେ। ଫଳରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଓ ୟୁଜିବି ବ୍ୟାଙ୍କର ରିଜୋନାଲ ମ୍ୟାନେଜର ଅଜୟ କୁମାର ନାୟକ ଓ ଶାଖା ପରିିଚାଳକ ବିଜୟ କୁମାର ବାରିକ ଆସି ଦେଖି ପୁରୁଷୋତ୍ତମପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।