ବ୍ରହ୍ମପୁର କୋର୍ଟରେ ହାଜର ହେବେ ଅଭୟକାନ୍ତ, ଆକାଶ

ବ୍ରହ୍ମପୁର ଅଫିସ, ୯।୨: ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ହୋଇଥିବା ଠକେଇ ଘଟଣାରେ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନଁାରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏବେ ବାପ ପୁଅଙ୍କର ମଧ୍ୟ ଏହି ମାମଲାରେ ସମ୍ପୃକ୍ତି ନେଇ ଗୋଳନ୍ଥରା ଥାନା ପୋଲିସ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଛି। ଏହି ମାମଲାରେ ବାପ-ପୁଅଙ୍କୁ ଯୋଡ଼ିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଛି। ଏହି ଆବେଦନକ୍ରମେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଉଭୟ ବାପ-ପୁଅଙ୍କୁ ବ୍ରହ୍ମପୁର ଆଣିବା ପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଚିଠି ପଠାଇଥିବା ଜଣାପଡ଼ିଛି। ଏ ପଟେ ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସୋମବାର ଭୁବନେଶ୍ୱର ଯାଇଛି। ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ ଅନୁମତିକ୍ରମେ ମଙ୍ଗଳବାର ବାପ-ପୁଅଙ୍କୁ ବ୍ରହ୍ମପୁର ଅଣାଯାଇ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। କୋର୍ଟରେ ହାଜର କରାଗଲା ପରେ ଏସ୍‌ଡିଜେଏମ୍‌ ଜିତେନ୍ଦ୍ରୀୟ ପାଣିଗ୍ରାହୀ ଉଭୟ ବାପ-ପୁଅଙ୍କୁ ଗୋଳନ୍ଥରା ଥାନାରେ ପୃଥକ ଭାବେ ହୋଇଥିବା ୩ ମାମଲାରେ ଜଡିତ କରିବ।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଅଭୟଙ୍କୁ ଗିରଫ କରିଥିଲା। ପରେ ତାଙ୍କ ପୁଅ ଆକାଶ ମଧ୍ୟ ଗିରଫ ହୋଇଥିଲେ। ଏହି ମାମଲାରେ ବାପ-ପୁଅଙ୍କୁ ଜାମିନ ମିଳିଥିବା ବେଳେ ଉଭୟଙ୍କ ନାମରେ ଅନ୍ୟ ଏକ ମାମଲା ରହିଥିବାରୁ ବାପ-ପୁଅ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି। ଟାଟା ମୋଟର୍ସରେ ଚାକିରି ନଁାରେ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଗୋପାଳପୁର ବିଧାକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଝାରପଡ଼ା ଜେଲରେ ରହିଛନ୍ତି। ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ପ୍ରଦୀପଙ୍କ ନାମରେ ୩ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗତ ଗୁରୁବାର ପ୍ରଦୀପଙ୍କୁ ବ୍ରହ୍ମପୁର ନେବା ପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ ୩ଦିନ ଲାଗି ଅନୁମତି ଦେଇଥିଲେ। ପରେ ପ୍ରଦୀପଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଉକ୍ତ ୩ ମାମଲାରେ ତାଙ୍କୁ ଜଡିତ କରିଥିଲେ। ପରେ ପ୍ରଦୀପଙ୍କୁ ୩ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିବାକୁ ପଡିଥିଲା। ପୋଲିସ ତାଙ୍କ ନାମରେ ସେହି ୩ ଠକେଇ ମାମଲାରେ ରିମାଣ୍ଡ ଲଗାଇବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରବିବାର ସକାଳେ ତାଙ୍କୁ ପୁଣିଥରେ ଝାରପଡ଼ା ଜେଲକୁ ନିଆଯାଇଥିଲା।