ଭାଙ୍ଗିଲା ୧୫ ବର୍ଷର ସମ୍ପର୍କ, ଅଲଗା ହେଲେ କିରଣ-ଆମିର

ମୁମ୍ବାଇ,୩ ।୭: ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡି ନାୟକ ଆମିର ଖାଁ ଓ ନିର୍ଦ୍ଦେଶିକା କିରଣ ରାଓ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ଜଏଣ୍ଟ ଷ୍ଟେଟମେଣ୍ଟରେ ଉଭୟ ଏହା ପ୍ରକାଶ କରିଛନ୍ତି । ଏବେ ସେମାନଙ୍କ ସମ୍ପର୍କ ଆଉ ପତ୍ନୀ ପତି ହୋଇ ରହିବ ନାହିଁ । ଏମାନେ ଭିନ୍ନ ଭିନ୍ନ ଜୀବନ ଅତିବାହିତ କରିବେ । ଏହି ଖବର ଏବେ ତାଙ୍କ ପ୍ରଶଂସକଙ୍କ ମନରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଡିଭୋର୍ସ ହେବା ପରେ ଏମାନଙ୍କ ବ୍ୟବସାୟ ଏକାଠି ଚଲାଇବା ସହ ପିଲାର ପାଳନ ମଧ୍ୟ ଉଭୟ ମିଶି କରିବେ ବୋଲି ଏମାନେ କହିଛନ୍ତି । ଏକ ଜଏଣ୍ଟ ଷ୍ଟେଟମେଣ୍ଟରେ ଏମାନେ କହିଛନ୍ତି, ସୁନ୍ଦର ୧୫ ବର୍ଷର ଏକାଠି ଜୀବନ ମଧ୍ୟରେ ଆମେ ଜୀବନର ଅନୁଭବ, ଆନନ୍ଦ, ଖୁସି ସବୁକିଛି ଶେୟାର କରିଛୁ । ଆମର ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଓ ଭଲପାଇବା ଯୋଗୁ ବଢିଥିଲା । ଏବେ ଆମେ ଆମ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ । ତେବେ ପତ୍ନୀ-ପତି ଭାବେ ନୁହେଁ ବରଂ ସହ ମାତାପିତା ଓ ପରିବାର ଭାବେ । କିଛି ଦିନ ପୂର୍ବରୁ ଏ ସମ୍ପର୍କରେ ଆମେ ଚିନ୍ତା କରିଥିବା ବେଳେ ଏବେ ଏହାକୁ ଔପଚାରିକ ରୂପ ଦେବା ସହଜ ହୋଇଯାଇଛି । ଏବେ ଆମେ ଅଲଗା ରହିଲେ ବି ବିସ୍ତାରିତ ଭାବେ ପରିବାର ଭାବେ ଶେୟାର କରିବୁ । ଏମାନଙ୍କର ଗୋଟିଏ ପୁଅ ଆଜାଦ ଥିବା ବେଳେ ଉଭୟ ମିଶି ତା’ର ଲାଳନ ପାଳନ କରିବେ କାରଣ ଆଜାଦ ପାଇଁ ସେମାନେ ସମର୍ପିତ ମାତାପିତା ବୋଲି କହିଛନ୍ତି । ଏହାସହ ଫିଲ୍ମ, ପାଣି ଫାଉଣ୍ଡେଶନ ଓ ଅନ୍ୟ ପରିଯୋଜନାରେ ବି ମଳିମିଶି କାମ କରିବେ ।

Share