ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ଯୁବକ ଜଣଙ୍କ ରଞ୍ଜନ ନାୟକ ଓରଫ ପାଣ୍ଡା ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ, ଶନିବାର ମଧ୍ୟାହ୍ନରେ ଭେଜିପୁଟ ଗ୍ରାମର ସ୍ବର୍ଗତ ସୁଦର୍ଶନ ନାୟକଙ୍କ ପୁଅ ରଞ୍ଜନ ୧୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ସେଠାରେ ଅସାବଧାନତା ବଶତଃ ସେ ପାଣିରେ ବୁଡ଼ି ଯାଇଥିଲେ। ତେବେ କିଛି ସମୟ ପରେ ସ୍ଥାନୀୟ ଲୋକେ ପାଣିରେ ରଞ୍ଜନ ଭାସୁଥିବା ଦେଖି ଭେଜିପୁଟ ଫାଣ୍ଡି ପୋଲିସ ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଆଦିତ୍ୟ ନାରାୟଣ ପାତ୍ର ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ପାଣି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ସେପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ରଞ୍ଜନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଉକ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି।