କର୍ଲାମୁଣ୍ଡା,୪/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି କେନାଲ ଠାରେ ବାଇକ ସହ ଏକ ମୃତଦେହ ପଡିରହିଥିବା ସୋମବାର ଭୋର ସକାଳ ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତେବେ ମୃତଦେହଟି କର୍ଲାମୁଣ୍ଡା ବସ୍ତିରେ ରହୁଥିବା ରାଜା ରାମ ନିଆଲ (୩୦)ଙ୍କର ବୋଲି ଜଣାପଡିଥିଲା।
ରାଜ ନିଆଲ ରବିବାର ସନ୍ଧ୍ୟାରେ କୌଣସି କାମରେ ଅଗାଧୁପୁର ଗାଁକୁ ଯାଇ ରାତିରେ ଫେରିବା ସମୟରେ କେନାଲରେ ବାଇକ ସହ ପଡି ମୃତ୍ୟୁବରଣ କରିଥିବା ସନ୍ଦେହ କରି ରାଜଙ୍କ ସମ୍ପର୍କୀୟ ଶଳା ଟୁନୁ ନନ୍ଦ ପୋଲିସକୁ ଲିଖିତ ଭାବେ ଜଣାଇଛନ୍ତି। ଏନେଇ ଫାଣ୍ଡି ଅଧିକାରୀ ଥବିର ବରିହାଙ୍କୁ ପଚାରାଯିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିବା ସହ ତଦନ୍ତ ଚାଲିଛି ବୋଲି କହିଥିଲେ।
ସୂଚନାଯୋଗ୍ୟ ଯେ, ରାଜା ରାମଙ୍କ ନିଜ ଘର କୋକସରା ବ୍ଲକର ଡୁଙ୍ଗୁରିଗୁଡା ଗ୍ରାମର ହୋଇଥିବାବେଳେ କର୍ଲାମୁଣ୍ଡାରେ ୨୦୧୫ ମସିହାରେ ବିବାହ କରି ଛୋଟ ଛୋଟ ଦୁଇ ପୁଅ ଓ ପତ୍ନୀ ସହ ରହି ଏଠାରେ ପନିପରିବା ବିକ୍ରି କରି ପରିବାର ପୋଷୁଥିଲେ। ରୋଜଗାରିଆ ସାମୀଙ୍କ ବିୟୋଗ ପରେ ପତ୍ନୀ ରୀନା ନିଆଲ ଅସହାୟ ହୋଇ ପଡ଼ିଥିବା ଜଣାପଡ଼ିଛି।ଏଣୁ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।


