ପାଟିରେ ବିଷ କାଢ଼ି ମହିଳା ଗୁରୁତର

ହାଟଡିହୀ, ୭ା୧୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ସୋସୋ ଥାନା ଝଣଝଣା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମାତ୍ର ସାପ ବିଷକୁ ମୁହଁ ଲଗାଇ କାଢ଼ିବାକୁ ଯାଇ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତା ହେଲେ ସୂର୍ଯ୍ୟମଣି ବେହେରାଙ୍କ ସ୍ତ୍ରୀ ଝୁନୁରାଣୀ(୪୨)। ଗୁରୁତର ମହିଳା ହେଲେ ତାଙ୍କ ସାଙ୍ଗ ମିନତି ଦେହୁରୀ (୪୫)।
ସୂଚନା ଅନୁଯାୟୀ, ଝୁନୁରାଣୀ ରବିବାର ଅପରାହ୍ନରେ ଜମିକୁ ଧାନ ଫସଲ ଦେଖିବାକୁ ଯାଇଥିଲେ। ସେଠାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା। ଏ ବିଷୟରେ ସେ ଘରେ ଜଣାଇଥିଲେ। ପରିବାର ଲୋକେ ଗ୍ରାମରେ ଝଡ଼ାଫୁଙ୍ଖା କରୁଥିବା ମିନତିଙ୍କୁ ଡାକିଥିଲେ। ସେ ପହଞ୍ଚତ୍ ନିଜ ପାଟି ଲଗାଇ ଝୁନୁରାଣୀଙ୍କ ଗୋଡ଼ରୁ ବିଷ କାଢ଼ିବାକୁ ଚେଷ୍ଟା କରିଥିଲେ। ଏଥିସହ ଝଡ଼ାଫୁଙ୍କା କରିଥିଲେ। ମାତ୍ର ଝୁନୁରାଣୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଛି ଘଣ୍ଟା ପରେ ମିନତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମଧ୍ୟ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ପୋଲିସ ଝୁନୁରାଣୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।