କିନ୍ନରଙ୍କ ସହ ସ୍ବାମୀଙ୍କୁ ବିବାହ କରାଇଲେ ସ୍ତ୍ରୀ

ଭବାନୀପାଟଣା/ନର୍ଲା,୧୩।୯(ସ୍ବ.ପ୍ର./ଡି.ଏନ୍‌.ଏ.):ମନ ସହ ମନର ମିଳନ ହିଁ ପ୍ରକୃତ ପ୍ରେମ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଅଧୀନ ଧୁରୁକୁଟି ଗ୍ରାମରେ। ୫ବର୍ଷ ଧରି ବୈବାହିକ ଜୀବନ ବିତାଇଥିବା ଜନୈକ ଯୁବକ ଜଣେ କିନ୍ନରଙ୍କ ହାତ ଧରିଛନ୍ତି। ଆଉ ଏହି ସମ୍ପର୍କକୁ ସାମାଜିକ ସ୍ବୀକୃତି ଦେବାକୁ ରବିବାର ଧୁରୁକୁଟି ଗ୍ରାମର ଫକୀର ନିହାଲଙ୍କ ସହ ଭବାନୀପାଟଣା ବ୍ଲକ ଦେପୁର ଗ୍ରାମର କିନ୍ନର ସଙ୍ଗୀତାଙ୍କ ବିବାହ ଅନୁଷ୍ଠିତ ହୋଇଛି। ସବୁଠୁ ବଡ଼ କଥା ହେଲା ଏହି ଉତ୍ସବରେ ଫକୀରଙ୍କ ସ୍ତ୍ରୀ ଉପସ୍ଥିତ ରହି ବିବାହକୁ ସଫଳ କରାଇଛନ୍ତି। ସ୍ବାମୀଙ୍କ ଖୁସିରେ ମୋ ଖୁସି। ତେଣୁ ସବୁବେଳେ ସେ ଖୁସିରେ ରହିବାକୁ ମୁଁ ଚାହୁଁଛି ବୋଲି ଫକୀରଙ୍କ ସ୍ତ୍ରୀ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ ସାଢ଼େ ୫ବର୍ଷ ତଳେ ଫକୀର ବିବାହ କରିଥିଲେ। ତାଙ୍କର ଏକ ୪ର୍ବରେ ପୁଅ ଅଛି। ସେ ସ୍ତ୍ରୀ, ପିଲା ଏବଂ ପରିବାର ସହ ଏକାଠି ରହୁଛନ୍ତି। ଗତ ବର୍ଷକ ତଳେ ଫକୀରଙ୍କ ସହ କିନ୍ନର ସଙ୍ଗୀତାଙ୍କ ଭେଟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ସେମାନେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ଫକୀର ନିଜ ସ୍ତ୍ରୀ ଓ ପରିବାର ଲୋକଙ୍କୁ ଜଣାଇଥିଲେ। ସେପଟେ ସଙ୍ଗୀତା ମଧ୍ୟ କିନ୍ନର ସଂଘକୁ ନିଜ ପ୍ରେମ ସମ୍ପର୍କରେ ଜଣାଇଥିଲେ। ଶେଷରେ ଉଭୟ ପକ୍ଷର ସହମତିରେ ଫକୀର ଓ ସଙ୍ଗୀତା ନର୍ଲାଠାରେ ଥିବା ବହୁଚୋରି ମାତାଙ୍କ ମନ୍ଦିରରେ ବିବାହ କରିଛନ୍ତି। ଏଥିରେ କିନ୍ନର ସଂଘ ସଭାପତି କାମିନୀ କିନ୍ନର ସହଯୋଗ କରିଥିଲେ। ଏହି ନିଆରା ବିବାହ ଉତ୍ସବରେ ଜିଲାର ଅନେକ କିନ୍ନର ସାମିଲ ହେବା ସହ ସ୍ଥାନୀୟ ଲୋକେ ମଧ୍ୟ ଭିଡ଼ ଜମାଇଥିଲେ। ବିବାହକୁ ଫକୀରଙ୍କ ପରିବାର ଲୋକେ ସ୍ବୀକୃତି ଦେଇଥିବାରୁ ସଙ୍ଗୀତା ଖୁସି ବ୍ୟକ୍ତ କରିବା ସହ ପରିବାରରେ ଏକାଠି ହୋଇ ରହିବୁ ବୋଲି କହିଛନ୍ତି। କଳାହାଣ୍ଡି ଜିଲାର ଜଣେ କିନ୍ନରଙ୍କୁ ଜଣେ ବିବାହିତ ଯୁବକ ବିବାହ କରିବା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି।