୨୦ ବର୍ଷର ସ୍ବପ୍ନ ପୂରଣ ହେଲା: କାଦଦୋରା ଗାଁରେ ନଳକୂପ ଖନନ ହେଲା

ପାପଡ଼ାହାଣ୍ଡି/ମଇଦଲପୁର,୧୫।୫(ଡି.ଏନ୍‌.ଏ.): ଗ୍ରାମ ବସତିର ୨୦ ବର୍ଷ ପରେ ଗ୍ରାମବାସୀଙ୍କ ସ୍ବପ୍ନ ସାକାର ହୋଇଛି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ କାଦଦୋରା ଗ୍ରାମରେ ଶନିବାର ନଳକୂପ ଖୋଳାଯାଇଛି। ଜିଲା ପରିଷଦ ସଭ୍ୟା ଲିପିକା ମାଝି ଏବଂ ମଇଦଲପୁର ସରପଞ୍ଚଙ୍କ ଉଦ୍ୟମରେ ଗ୍ରାମରେ ନଳକୂପ ଖୋଳିବା ସମ୍ଭବ ହୋଇଛି। ଏହା ଦ୍ୱାରା ୧୬ ପରିବାର ଉପକୃତ ହେବେ। ସୂଚନାଯୋଗ୍ୟ, ପ୍ରାୟ ୨୦ ବର୍ଷ ହେଲା କାଦଦୋରା ଗ୍ରାମବାସୀ ପାନୀୟ ଜଳ ସଙ୍କଟ ଯୋଗୁ ବହୁ ସମସ୍ୟା ଭୋଗୁଥିଲେ। ଝରଣା ପାଣି ପିଇ ରୋଗରେ ପଡ଼ୁଥିଲେ। ବାରମ୍ବାର ପ୍ରଶାସନ, ନେତା ଓ ମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏବେ ନୂତନ ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝି କିଛି ଦିନ ତଳେ ଗାଁକୁ ଯାଇ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଇଥିଲେ। ଏଥିସହ ପ୍ରଶାସନର ସହାୟତାରେ ନଳକୂପ ଖନନ ନିମନ୍ତେ ପ୍ରୟାସ କରିଥିଲେ। ଗ୍ରାମବାସୀ ଏଥିପାଇଁ ସାଧୁବାଦ ଜଣାଇଛନ୍ତି।