ବଜାର ଯିବା ବେଳେ ବାଟରେ ଚାପିଦେଲା ଟ୍ରକ୍‌

ସିମୁଳିଆ,୪ା୩(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟାରେ ସିମୁଳିଆ ଥାନାଠାରୁ ୫କି.ମି. ଦୂର ୧୬ ନଂ ଜାତୀୟ ରାଜପଥର ତାରିଣୀ ଛକ ନିକଟରେ(ଓଆର ୦୫ ଏପି ୦୦୧୭) ଟ୍ରକ୍‌ ଧକ୍କାରେ କୈଳାସ ଲେଙ୍କା(୫୧) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ସ୍ଥାନୀୟ ସୋର ବ୍ଲକ ଅଧୀନ ସାଜନପୁର ଅଞ୍ଚଳରେ। କୈଳାସ ସାଇକେଲ ଯୋଗେ ସ୍ଥାନୀୟ ବଜାରକୁ ଆସୁଥିବା ବେଳେ ଟ୍ରକ୍‌ଟି ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଜପଥ ସମ୍ପ୍ରସାରଣ କାର୍ଯ୍ୟାଦେଶ ନେଇଥିବା ସମ୍ପୃକ୍ତ କମ୍ପାନୀ ନିର୍ମାଣ କାର୍ଯ୍ୟ ବିଳମ୍ବ କରିବା ଓ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ହାନି ହେଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ପରେ ପ୍ରଶାସନ ପକ୍ଷରୁ କ୍ଷତି ପୂରଣ ପ୍ରଦାନର ପ୍ରତିଶ୍ରୁତି ମିଳିବାରୁ ଅବରୋଧ ହଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଟ୍ରକ୍‌ଟିକୁ ଅଟକ ରଖିଛି।