Categories: ମେଟ୍ରୋ

ରାଜଧାନୀରୁ ଆଦିବାସୀ ଯୁବକ ନିଖୋଜ

ଭୁବନେଶ୍ୱର, ୧୪।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଜଣେ ଆଦିବାସୀ ଯୁବକ ମଙ୍ଗଳବାରଠାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ କେନ୍ଦୁଝର ଜିଲା କାଞ୍ଜିପାଣି ଗ୍ରାମର ଗଙ୍ଗା ମୁଣ୍ଡାଙ୍କ ପୁଅ ଗୌତମ। ସେ କେଉଁଆଡେ ଗଲେ ତାହାର ଖୋଜ ଖବର ନ ମିଳିବାରୁ ଚାରିଆଡୁ ନିରାଶ ହେବା ପରେ ରାଜଧାନୀରେ ପୁଅର ଫଟୋ ଧରି ବୁଲୁଛନ୍ତି ଗୌତମଙ୍କ ବାପା ଗଙ୍ଗା। ଏ ନେଇ ସେ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗକୁ ଭିତ୍ତି କରି ପୋଲିସ ଗୌତମଙ୍କୁ ଖୋଜାଖୋଜା ଆରମ୍ଭ କରିଛି ।
ମୁଣ୍ଡାଙ୍କ କହିବା ମୁତାବକ, ପୁଅ ଗୌତମ ଚେନ୍ନାଇରେ କାମ କରନ୍ତି। ଗତ ମଙ୍ଗଳବାର ରାତିରେ ଗୌତମ ଚେନ୍ନାଇରୁ ଟ୍ରେନ ଯୋଗେ ଭୁବନେଶ୍ୱର ଷ୍ଟେଶନରେ ପହଞ୍ଚିଲେ। ଏହାପରେ ବସ୍‌ ଯୋଗେ ଘରକୁ ଯାଉଛି ବୋଲି ଟେଲିଫୋନରେ କହିଥିଲେ। କିନ୍ତୁ ଘରକୁ ଯାଇ ନ ଥିଲେ। ଏନେଇ ବନ୍ଧୁବାନ୍ଧବ , ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କୁ ପଚାରିଥିଲେ ଗଙ୍ଗା। କିନ୍ତୁ କୌଣସି ସନ୍ଧାନ ପାଇ ନଥିଲେ। ଫୋନ କଲେ ମଧ୍ୟ ତାଙ୍କ ମୋବାଇଲ୍‌ ସୁଇଚ ଅଫ ଦେଖାଉଥିଲା । ବୁଧବାର ଜଣେ ଅଟୋ ଚାଳକ ଏକ ବ୍ୟାଗ ଭିତରୁ ନମ୍ବର ପାଇ କଲ କରି ଜଣାଇଥିଲେ କି ଏମ୍ସ ସାମ୍ନାରେ ଏକ ବ୍ୟାଗ ପଡ଼ିଛି । ବ୍ୟାଗ ତୁମର କି ବୋଲି ପଚାରିଥିଲେ । ଏହା ପରେ ଆଧାରକାର୍ଡ ଦେଖି କହିବାରୁ ଗୌତମର ବ୍ୟାଗ ବୋଲି ଜଣାପଡ଼ିଥିଲା। କିନ୍ତୁ ଗୌତମ ଅଛି କି ନାହିଁ ପଚାରିବାରୁ ସେ ମନା କରିଥିଲେ। ତେଣୁ ଗଙ୍ଗା ବୁଧବାର ଭୁବନେଶ୍ୱର ଆସି ବହୁ ଜାଗାରେ ଖୋଜାଖୋଜି କରିବା ପରେ ନ ପାଇବାରୁ ଖଣ୍ଡଗିରି ଥାନାରେ ଗୁରୁବାର ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଯଦି ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ କରନ୍ତା ତା ହେଲେ ପୁଅ ମିଳିଯାନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ଗଙ୍ଗା। ସେହିପରି ୩ ଦିନ ହେଲା ବିଭିନ୍ନ ଲଜରେ ମଧ୍ୟ ଖୋଜାଖୋଜା କରୁଛି ବୋଲି କହିଛନ୍ତି। ଖଣ୍ଡଗିରି ପୋଲିସ କହିଛି ଯୁବକ ନିଖୋଜ ହୋଇଥିବା ନେଇ ମାମଲା (୪/୨୦୨୩) ରୁଜୁ ହୋଇ ତଦନ୍ତ ଜାରି ରହିଛି।