ନବରଙ୍ଗପୁରରେ ଖୋଲିଲା ଅସ୍ଥାୟୀ ଗୋଶାଳା

ନବରଙ୍ଗପୁର,୧୦ା୧୦(ବି.ପ୍ର.): ନବରଙ୍ଗପୁର ସ୍ଥିତ ସ୍ଥାନୀୟ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ ଶନିବାର ଠାରୁ ଅସ୍ଥାୟୀ ଗୋଶାଳା(କାଞ୍ଜିଆ ହୁଦା) ଖୋଲିଛି। ସହର ମଧ୍ୟ ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ବଜାର। ଜନଗହଳି ପୂର୍ଣ୍ଣ ରାସ୍ତା ସହ ପାର୍କିଂ ବ୍ୟବସ୍ଥା ନ ଥିବାରୁ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ପରିସ୍ଥିତିରେ ବୁଲା ଗୋରୁ ସାରେ ରାଜପଥ ତଥା ସହରର ବିଭିନ୍ନ ଛକ ଓ ରାସ୍ତାରେ ଗୋଠ କରି ବସୁଥିବାରୁ ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହୋଇଥିଲା। ଏ ନେଇ ବଣିକ ସଂଘ ଓ ଜନସାଧାରଣ କାଞ୍ଜିଆ ହୁଦା କରି ଗୋରୁଙ୍କୁ ସେଠାରେ ରଖିବା ପାଇଁ ଅନୁରୋଧ କରିଥିଲେ। ଏହାଦ୍ୱାରା ଦୁର୍ଘଟଣା କମିବା ସହ ଗୋରୁମାନେ ମଧ୍ୟ ସୁରକ୍ଷିତ ରହିବେ ବୋଲି ମତପ୍ରକାଶ ପାଇଥିଲା। ଜିଲାପାଳ କମଳ ଲୋଚନ ମିଶ୍ର ଏହାକୁ ଗୁରୁତର ସହ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶରେ ପୌର ପ୍ରଶାସନ ପକ୍ଷରୁ ଅସ୍ଥାୟୀ କାଞ୍ଜିଆ ହୁଦା କରାଯାଇଛି। ଏଠାରେ ଗୋରୁମାନଙ୍କୁ ୩ ଥର ଖାଇବାକୁ ଦିଆଯିବାକୁ ପଦକ୍ଷପ ନିଆଯାଇଛି।
ସୂଚନାଯେଗ୍ୟେ, ଦୀର୍ଘ ଦିନ ହେଲା ନବରଙ୍ଗପୁର ପୌରାଞ୍ଚଳ ବାସୀ ଏହି ଦାବି କରି ଆସୁଥିଲେ। ଏହା ବ୍ୟତୀତ ଗୋରୁ ମାଲିକମାନେ ଗୃହପାଳିତ ପଶୁଙ୍କୁ ରାସ୍ତାରେ ଛାଡ଼ିଲେ ଦୈନିକ ୧୦୦୦ ଟଙ୍କା ଫାଇନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଗୋଶାଳାରେ ୩ ଦିନ ଗୋରୁଙ୍କୁ ରଖିବା ପରେ ସହର ଠାରୁ ଦୂର ଗ୍ରାମାଞ୍ଚଳ ଲୋକଙ୍କୁ ଦାନ କରିଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେଣୁ ମାଲିକମାନେ ନିଜ ଗୃହପାଳିତ ପଶୁଙ୍କୁ ନିଜ ଦାୟିତ୍ୱରେ ରଖିବାକୁ ପୌରପାଳିକା ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଭଳି ପଦକ୍ଷେପ ପାଇଁ ଜିଲାପାଳ, ପୌରାଧ୍ୟକ୍ଷ କୁନୁ ନାୟକ, ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ଓ ପୌର ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କ ସମେତ ସମସ୍ତ କାଉନସିଲରଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି।