ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା କରନ୍ତୁ’। ଏହି ନୋଟିସକୁ ଅଣଦେଖା କରିବାକୁ ମୁଁ ଭାବିଥିଲି ଏବଂ ନ ଯିବା ପାଇଁ ନିଷ୍ପତ୍ତି ନେଇଥିଲି। କିନ୍ତୁ ତା’ପରେ ମୁଁ ଯିବା ପୂର୍ୱରୁ ମୋ ସ୍ତ୍ରୀ ସେଠାକୁ ଗଲେ। ନୋଟିସ ଜାରି କରିଥିବା ଅଧିକାରୀ ହ୍ୱାଟ୍ସଆପ୍‌ ମେସେଜର କୌଣସି ଉତ୍ତର ଦେଇ ନ ଥିବା କଥା କହିଥିଲେ ଏବଂ ଅସନ୍ତୁଷ୍ଟ ଥିବା ଜଣାପଡ଼ୁଥିଲେ ବୋଲିି ମୋ ସ୍ତ୍ରୀ କହିଥିଲେ। ପରେ ମୁଁ ମୋର ଛିଣ୍ଡାଫଟା କାଗଜପତ୍ରର ଫାଇଲ ନେଇ ତାଙ୍କୁ ଦେଲି। ସେହି କାଗଜଗୁଡ଼ିକ ଦ୍ୱାରା ମୋତେ ଏବେ ପ୍ରମାଣ କରିବାକୁ ପଡ଼ୁଛି ଯେ ମୁଁ ବାସ୍ତବରେ ବାସିନ୍ଦା ଏବଂ ଭୋଟ ଦେବା ଲାଗି ଯୋଗ୍ୟ।
ସେହି ସ୍ଥାନରେ ଲୋକେ ନିଜ କାମ କରିବାକୁ ବ୍ୟାକୁଳ ହେଉଥିଲେ। ଏହା ଆଶା କରିବା ସ୍ୱାଭାବିକ, କାରଣ ସରକାର ଅଯଥାରେ ଅନିଶ୍ଚିତତା ସୃଷ୍ଟି କରିଛନ୍ତି। କାହିଁକି କାହା ଜୀବନରେ ବିଶୃଙ୍ଖଳା ସୃଷ୍ଟି କରାଯାଉଛି ଏବଂ କେଉଁ ଉଦ୍ଦେଶ୍ୟରେ? ଏ ବାବଦରେ ଚିନ୍ତା କରାଗଲେ ବି ଏହାର ଉତ୍ତର ଖୋଜାଯାଏ ନାହିଁ। ଯାହାହେଉ, ସେହି ଅଧିକାରୀ ଥିଲେ ଜଣେ ଶିକ୍ଷକ। ଶିକ୍ଷାଦାନ ବଦଳରେ ସେ ଅକ୍ଟୋବର ଯାଏ ଏହି କାମ କରିବେ। ସେ କିଛି ମିନିଟ୍‌ ମଧ୍ୟରେ ପ୍ରକ୍ରିୟା ଶେଷକଲେ। ମୁଁ ଦେଖିଛି ସରକାରଙ୍କ ପ୍ରତ୍ୟକ୍ଷ କାର୍ଯ୍ୟକ୍ଷେତ୍ରରେ ଥିବା ଲୋକମାନେ ଏମିତି ହିଁ ହୋଇଥାନ୍ତି, ଏପରିକି ଯେତେବେଳେ ସେମାନଙ୍କୁ କିଛି ଅଦ୍ଭୁତ କାମ କରିବାକୁ କୁହାଯାଏ ସେମାନେ ବି କରିଥାନ୍ତି। ଏଥିରେ ମୁଁ ସେହି ଅଧିକାରୀମାନଙ୍କୁ ମଧ୍ୟ ସାମିଲ କରୁଛି, ଯେଉଁମାନଙ୍କୁ ଆମ ଅଫିସରେ ଚଢ଼ାଉ କରିବାକୁ ଏବଂ ମୋ ନଁାରେ ମାମଲା ରୁଜୁ କରିବାକୁ କୁହାଯାଇଥିଲା। ମୋ କାଗଜପତ୍ରର ଫାଇଲ ନଷ୍ଟଭ୍ରଷ୍ଟ ହେବା ଦୈବୀକୃତ, କହିବାକୁ ଗଲେ ନିଜକୁ ଭଗବାନ ଭାବୁଥିବା ମଣିଷର କାର୍ଯ୍ୟ। ଉପରମୁଣ୍ଡରେ ଥିବା ଡ୍ୟାମ୍‌ରେ ପାଣି ଜମାହେବାକୁ ଦିଆଗଲା ଏବଂ ତା’ପରେ କୌଣସି ଚେତାବନୀ କିମ୍ୱା ପ୍ରସ୍ତୁତି ବିନା ଏହାକୁ ଛାଡ଼ିଦିଆଗଲା, ଫଳରେ ନଦୀ କୂଳବର୍ତ୍ତୀ ସହରାଞ୍ଚଳ ବୁଡ଼ିଗଲା। ୨୦୦୬ ମସିହାର ସୁରଟ ବନ୍ୟାରେ ଜନ୍ମ ପ୍ରମାଣପତ୍ର ଏବଂ ସ୍କୁଲ ଛାଡ଼ିବା ପ୍ରମାଣପତ୍ର ଧୋଇହୋଇଯାଇଥିଲା। ବନ୍ୟାରେ ମୋ ମାଆବାପା ୪ଦିନ ଛାତ ଉପରେ କୌଣସି ସାହାଯ୍ୟ ନ ପାଇ ରହିଥିଲେ। ସେମାନେ ନିଜର ପ୍ରାୟ ସବୁକିଛି ହରାଇଥିଲେ। ଆଉ କ’ଣ ଦେଖାଇବାକୁ ଅଛି? ମୋର ପାସ୍‌ପୋର୍ଟ କୋର୍ଟରେ ଜବତ ହୋଇ ରହିଛି। ଯେତେବେଳେ ଟିକସ ଆଦାୟ କରିବା ଏବଂ ମୋ ବିରୋଧରେ ମାମଲା ଦାଏର କରିବା କଥା ଆସେ, ସେତେବେଳେ ସରକାର ମୋତେ ଭାରତୀୟ ବୋଲି କହନ୍ତି। କିନ୍ତୁ ଯେତେବେଳେ ଭୋଟ ଦେବା କଥା ଆସେ ସେତେବେଳେ ମୁଁ ଭାରତୀୟ କି ନୁହେଁ ସନ୍ଦେହ କରାଯାଏ। ମୁଁ ଭାବୁଛି ସାରା ଦେଶରେ ଥିବା ମୋ ଭଳି ‘ଅପରାଧୀ’ମାନେ ଏହି ବିରୋଧାଭାସକୁ କିଭଳି ମୁକାବିଲା କରୁଛନ୍ତି? ଯାହାହେଉ, ମୋ ପାଖରେ ଥିବା ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ, ସମ୍ପତ୍ତି କାଗଜପତ୍ର ଇତ୍ୟାଦି ଦାଖଲକଲି ଏବଂ ଏଗୁଡ଼ିକୁ ଗ୍ରହଣ କରାଗଲା। ଏସବୁ ଯଥେଷ୍ଟ କି ନାହିଁ ତାହା ପରେ ଜଣାପଡ଼ିବ। ମନେହେଉଛି, ଭୋଟର ତାଲିକାରୁ ମୋ ନାମ କାଟି ଦିଆଯିବା ସହ ନିର୍ଯାତନାର ପରବର୍ତ୍ତୀ ପର୍ଯ୍ୟାୟକୁ ଠେଲିଦିଆଯିବ। ଆସାମରେ ଯେଉଁମାନେ ନିଜର ନାଗରିକତ୍ୱ ପ୍ରମାଣ କରିବାରେ ଅସମର୍ଥ ହୋଇଛନ୍ତି, ସେମାନଙ୍କୁ ମତାଧିକାରରୁ ବଞ୍ଚିତକରିବା ସହ ଜେଲରେ ରଖାଯାଇଛି। ଯେତେବେଳେ ଜଣେ ଲୋକଙ୍କୁ କୁହାଯାଏ ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ଲାଇସେନ୍ସ, ପାସ୍‌ପୋର୍ଟ ଆଉ ବୈଧ ନୁହେଁ, ସେତେବେଳେ ତାଙ୍କ ସହ କ’ଣ ଘଟେ ଭାବନ୍ତୁ ତ।
ତା’ପରେ ରହିଛି ଦେଶାନ୍ତର କଥା। ମୁଁ ଆଶା କରୁଛି, ମତେ କୌଣସି ଏକ ସଭ୍ୟ ଦେଶକୁ ପଠାଇ ଦିଆଯାଉ, ହୁଏତ ଦକ୍ଷିଣ-ପୂର୍ୱ ଏସିଆର କୌଣସି ଜାଗାକୁ। ମୁଁ ଚାଇନା ଯିବାକୁ ଆପତ୍ତି କରିବି ନାହିଁ। ସତ କହିବାକୁ ଗଲେ, ମୁଁ ଅନ୍ୟ ଏକ ଦକ୍ଷିଣ ଏସୀୟ ଦେଶକୁ ଯାଇପାରେ,ଯେଉଁଠି ମୋ ଦେଶର ସଂସ୍କୃତି ଓ ଖାଦ୍ୟପେୟ ଅନୁଭବ କରିପାରିବି। ବୋଧହୁଏ ମୋ ଭାଗ୍ୟରେ ଏହା ଜୁୁଟିବ ନାହିଁ କିମ୍ୱା ଏହି ସରକାରରେ ଏହା ଘଟିବ ନାହିଁ। ବରଂ ମୋତେ ଏଠାରେ ହିଁ ରଖାଯିବ, ନାଗରିକ ଅଧିକାରରୁ ବଞ୍ଚିତ କରାଯିବ। ‘ବନ୍ଦେ ମାତରମ୍‌’ର ୬ଟି ପଦ ଗାଇବା ପାଇଁ ଠିଆହେବାକୁ କୁହାଯିବ। ଗଣତନ୍ତ୍ରର ଜନନୀ ସମ୍ମାନ ଏବଂ ଶ୍ରଦ୍ଧା ଚାହେଁ , କିନ୍ତୁ ଏଠି ତୁମେ ତାଙ୍କ ସନ୍ତାନ ବୋଲି ପ୍ରମାଣ କରିବାକୁ ପଡ଼ିବ। ଏହା ଏକ ଅଦ୍ଭୁତ ସ୍ଥିତି। ନୂତନ ଭାରତରେ ଅନେକ ଆଇନରେ ଦୋଷୀ ବୋଲି ଆଗୁଆ ଧରିନେବାର ବ୍ୟବସ୍ଥା ଖଞ୍ଜିଦିଆଯାଇଛି। ଏହା ଆତଙ୍କବାଦ ଏବଂ ନିଶାଦ୍ରବ୍ୟ ସମ୍ୱନ୍ଧୀୟ ଆଇନଗୁଡ଼ିକ ପାଇଁ ପୂର୍ୱରୁ ରହିଥିଲା। ୨୦୧୫ ମସିହାରେ ଏହାକୁ ଗୋମାଂସ ରଖିବା ମାମଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲା। ସେଥିରେ ଅଭିଯୁକ୍ତଙ୍କୁ ପ୍ରମାଣ କରିବାକୁ ପଡ଼ିଲା ଯେ ସେମାନେ ଦୋଷୀ ନୁହନ୍ତି। ୨୦୧୮ରେ ଏହାକୁ ଲଭ୍‌ ଜିହାଦ ଆଇନ ପର୍ଯ୍ୟନ୍ତ ବଢ଼ାଇ ଦିଆଗଲା। ଆସାମ ଆମକୁ ନାଗରିକତା ଉପରେ ଏହା କରିବାର ବାଟ ଦେଖାଇଲା ଏବଂ ଆଜି ଆମେ ଏହି ସ୍ଥିତିରେ ପହଞ୍ଚତ୍ଛେ।
କିଛିଦିନ ପୂର୍ୱରୁ ଭାଜପା ବାଧ୍ୟତାମୂଳକ ମତଦାନ ଉପରେ ଯେଉଁ ଆଇନ ପ୍ରଣୟନ କରିବା କଥା କହୁଥିଲା ସେ ବିଷୟରେ କ’ଣ ହେଲା? ସେମାନଙ୍କ ଆଭିମୁଖ୍ୟ ଥିଲା ‘ସମସ୍ତେ ନିଶ୍ଚିତ ଭାବେ ଭୋଟ ଦେବେ’। ହେଲେ ତାହା କାହିଁକି ବଦଳିଗଲା। ଏହି ଶୁଦ୍ଧତା ପରୀକ୍ଷା(ଏସ୍‌ଆଇଆର୍‌)ରେ ଉତ୍ତୀର୍ଣ୍ଣ ନ ହେବା ପର୍ଯ୍ୟନ୍ତ କେହି ଭୋଟ ଦେଇପାରିବେ ନାହିଁ ବୋଲି କାହିଁକି କୁହାଗଲା। ସେମାନଙ୍କଠାରୁ ନୀତିର ସ୍ଥିରତା ଆଶାକରିବା ବୃଥା। ମାନବିକତା ଆଶାକରିବା ଦୂରର କଥା। ଆଉ ଏକ ସମୟରେ ଏହି ପ୍ରକ୍ରିୟା ଏବଂ ଭୋଟ ଦେବାର ଅଧିକାରରୁ ବଞ୍ଚତ୍ତ ହେବାର ଚିନ୍ତା ମୋତେ ଗଭୀର ଭାବେ ବିଚଳିତ କରିଥାନ୍ତା। ମୁଁ ଏକଦା ଭୋଟ କେନ୍ଦ୍ରରେ ସକାଳ ସୂର୍ଯ୍ୟ ଉଠିବା ପୂର୍ୱରୁ ଯାଇ ଧାଡ଼ିରେ ଠିଆ ହୋଇଯାଉଥିଲି। ଏବେ ମୁଁ ଏହାକୁ ନେଇ ଅଧିକ ମୁକ୍ତ। ସତ କହିଲେ ମୁଁ ଏହାକୁ ଖାତିର କରେନାହିଁ କିମ୍ୱା ଏଥିରେ ମୋର ଆଉ କିଛି ଯାଏ-ଆସେ ନାହିଁ।

Share