ଭୁବନେଶ୍ୱର,୧୦।୩: ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା ‘ଶକ୍ତି’।୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବ । ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଗାମୀ ୨୪ ଘଣ୍ଟାରେ ଏହି ନିମ୍ନ ଚାପ ଘନୀଭୂତ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାକିସ୍ତାନର ସିନ୍ଧ ଉପକୂଳୀୟ ଅଞ୍ଚଳରେ ପ୍ରବଳ ବର୍ଷା ଓ ଉଚ୍ଛଳ ସମୁଦ୍ର ଲହରୀର ଆଶଙ୍କା ରହିଛି। ଓମାନ ଓ ଗୁଜରାଟ ପ୍ରଶାସନମାନେ ସମ୍ଭାବ୍ୟ ପ୍ରଭାବ ପାଇଁ ସତର୍କ ରହିଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରରେ ଯାତ୍ରା ଏଡ଼ବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ରୂପ ନେଇ ଓଡିଶା ଉପକୂଳରେ ଅତିକ୍ରମ କରିଛି। ଏହା ପ୍ରଭାବରେ ଦକ୍ଷିଣ ଓ଼ଡିଶାର ଅନେକ ଜିଲାରେ ବର୍ଷା ଲାଗି ରହିଛି। ଫଳରେ କିଛି ଜିଲାରେ ତଳିଆ ଅଞ୍ଚଳ ବୁଡି ଯାଇଥିବା ବେଳେ ବନ୍ୟାର ଆଶଙ୍କା ଦେଖା ଦେଇଛି।


