ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଖସିଲା ପଥର

ଆରଡ଼ି,୮ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡ଼ି ପଞ୍ଚାୟତ ଅଧୀନ ଶିତଳପୁର ଗାଁ ନିକଟରେ ପ୍ରବାହିତ ସାଳନ୍ଦୀ ନଦୀକୂଳରେ ଥିବା ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁ ରହିଥିବା ବେଳେ ରବିବାର ପଥର ସମେତ ବନ୍ଧ ନଦୀ ଗର୍ଭକୁ ଧସି ଯାଇଛି । ଫଳରେ ନଦୀ କୂଳିଆବାସୀଙ୍କ ମଧ୍ୟରେ ଭୟ ଦେଖା ଦେଇଛି । ନଦୀ ଜୁଆରିଆ ଥିବାରୁ ପୁଣି ବନ୍ଧ ଧସିବା ସହ ନଦୀ ଗାଁ ଆଡ଼କୁ ମାଡ଼ି ଆସିବାର ସମ୍ଭାବନା ଦେଖାଦେଇଛି। ଗ୍ରାମବାସୀଙ୍କ ମଧ୍ୟରେ କୁମ୍ଭୀର ଭୟ ମଧ୍ୟ ସୃଷ୍ଟି ହୋଇଛି। ନିୟମିତ ନଦୀବନ୍ଧରେ ପଥର ପ୍ୟାକିଂ କାମ ଚାଲୁ ରହିଲେ ଏମିତି ସମସ୍ୟା ଉପୁଜନ୍ତା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଠିକାଦାର ନଦୀବନ୍ଧରେ ପଥର ପକାଇବା ସହ କିଛି ଦିନ କାମ ବନ୍ଦ କରୁଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ସେମାନେ କହିଛନ୍ତି। ଏଠାରେ ଦୀର୍ଘ ୮ ବର୍ଷରୁ ଊଦ୍ଧର୍‌ବ ସମୟ ଧରି ନଦୀବନ୍ଧ ଧସୁଥିଲେ ବି କେବଳ ବାଲିବସ୍ତା ଦେଇ କାମ ଚଳାଯାଉଥିଲା। ପଥର ପ୍ୟାକିଂ କାମ ମଧ୍ୟ ପ୍ରାୟ ୧ ବର୍ଷ ତଳୁ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ନଦୀବନ୍ଧ ପଥର ପ୍ୟାକିଂ ତୁରନ୍ତ ସାରିବାକୁ ଗ୍ରାମବାସୀ କହିଛନ୍ତି। ଅଧାପନ୍ତରିଆ କର୍ଯ୍ୟ ଚାଲିଲେ ପୁନର୍ବାର ଏଭଳି ସମସ୍ୟା ଉପୁଜିବାକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ନଦୀବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ଚାଲୁଥିବା ବେଳେ ପଥର ନଦୀବନ୍ଧକୁ ଧସିଲେ ସେମିତି କିଛି ସମସ୍ୟା ନାହିଁ। କାରଣ ଯେଉଁ ସ୍ଥାନରେ ପଥର ଧସିଛି ସେହିସ୍ଥାନରେ ୩୦ ମିଟର ତଳୁ ଅର୍ଥାତ ନଦୀଶଯ୍ୟାରୁ ପଥର ପଡ଼ି କୂଳ ପର୍ଯ୍ୟନ୍ତ ଆସିବ ବୋଲି କହିଛନ୍ତି ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ କିଶୋର ଦାସ। ତେବେ ପଥର ପ୍ୟାକିଂ କାର୍ଯ୍ୟ ଚାଲୁ ରହିଛି। ଏହାକୁ ସ୍ଥାୟୀ ଭାବରେ ନିର୍ମାଣ କରି ସମସ୍ୟାର ସମାଧାନ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି।