ଦେବଗଡ,୩/୩(ଶଶାଙ୍କ ଶେଖର ଝାଙ୍କର): ଯୁଗଯୁଗ ଧରି ସମାଜରେ ରାଗ, ରୋଷ, ଇର୍ଷା, ଦ୍ୱେଷ, ହିଂସା ଓ ପ୍ରତିଶୋଧ ଆଦି ଲାଗି ରହିଛି । ମାତ୍ର ପ୍ରତିଶୋଧ ପାଇଁ ନିଜ ସ୍ତ୍ରୀର ଫଟୋକୁ ଏଡିଟ କରିବା ସହ ପର ପୁରୁଷ ସହିର ଯୋଡ଼ି ଇନଷ୍ଟାଗ୍ରାମରେ ଭାଇରାଲ କରାଯିବା ଘଟଣା ବୋଧହୁଏ ନିଶ୍ଚିତ ଭାବେ ଏକ ବିରଳ ଘଟଣା । ତେବେ ଏଭଳି ଏକ ଅଭାବନୀୟ ତଥା ଅମାନବୀୟ ଘଟଣା ଘଟିଛି ଦେବଗଡ ଜିଲାର କୁଣ୍ଢେଇଗୋଳା ଥାନା ଅଞ୍ଚଳରେ। ତେବେ ଏନେଇ ସ୍ତ୍ରୀଙ୍କ ଅଭିଯୋଗ ଅଧାରରେ ପୋଲିସ ଅମଣିଷ ସ୍ବାମୀକୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଗ୍ରାମର ଜଣେ ଯୁବକ କିଛିବର୍ଷ ପୂର୍ବେ ନିଜ ଗ୍ରାମର ଜଣେ ଯୁବତୀଙ୍କୁ ପାରମ୍ପରିକ ରୀତି ନୀତି ଅନୁଯାୟୀ ବିବାହ କରିଥିଲେ ଓ ଇତିମଧ୍ୟରେ ସେମାନଙ୍କର ସନ୍ତାନ ସନ୍ତତି ମଧ୍ୟ ରହିଛନ୍ତି । ତେବେ ସ୍ବାମୀ ଜଣକ ସ୍ତ୍ରୀର ଚରିତ୍ରକୁ ଅକାରଣରେ ସନ୍ଦେହ କରି ସ୍ତ୍ରୀଙ୍କୁ ପାଟିତୁଣ୍ଡ କରୁଥିଲେ ଓ ବିଭିନ୍ନ ସମୟରେ ମାଡ଼ ମଧ୍ୟ ମାରୁଥିଲା । ଏହି କ୍ରମରେ ସନ୍ଦେହୀ ସ୍ବାମୀଙ୍କୁ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକେ ଯେତେ ବୁଝାଇଲେ ମଧ୍ୟ ସେ ସ୍ତ୍ରୀକୁ ସନ୍ଦେହ ଚକ୍ଷୁରେ ଦେଖିବାସହ ନିଜ କଥାରେ ଦୃଢତା ରହିଥିବା ଏବଂ ତା’ର ଅଭିଯୋଗରେ ସତ୍ୟତା ରହିଥିବା ପ୍ରମାଣ କରିବାକୁ ଚାହୁଁଥିଲା । ଫଳରେ ସ୍ତ୍ରୀ ଜଣକ ଅତିଷ୍ଠ ହୋଇ ନିଜ ବାପଘରକୁ ଚାଲିଯାଇଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ସ୍ବାମୀ ଗତ ୨୭ ତାରିଖ ଦିନ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କୁ ଅଶ୍ରାବ୍ୟ ଭଷାରେ ଗାଳିଗୁଲଜ କରି ମାଡ ମାରିଥିଲା । ଏହାପରେ ଘରକୁ ଫେରିଆସି ନିଜ ସ୍ତ୍ରୀଙ୍କୁ ବଦନାମ କରିବା ପାଇଁ ସେ ଅନ୍ୟ ଜଣେ ପୁରୁଷର ଫଟୋ ଏଡିଟ କରି ନିଜ ସ୍ତ୍ରୀଙ୍କର ନଗ୍ନ ଫଟୋକୁ ତାଙ୍କ ଫଟୋ ସହିତ ଯୋଡି ଇନଷ୍ଟାଗ୍ରାମରେ ଏହି ଫଟୋ ଭାଇରାଲ କରିଥିଲା । ଏନେଇ ପୀଡ଼ିତା ସ୍ତ୍ରୀ ଜଣକ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ଆଇଟି ଆକ୍ଟ ସମେତ ବିଏନଏସର ବିଭିନ୍ନ ଦଫାରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଥିଲା। ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏ ଘଟଣା ସମଗ୍ର ଦେବଗଡ ଜିଲାରେ ଆଲୋଚନାର ମୂଖ୍ୟ ବିଷୟବସ୍ତୁ ସାଜିଛି ।
Dharitri – Odisha’s No.1 Odia Daily

