ପୋଲିସ କବ୍‌ଜାରେ ୫ଜଣିଆ ଲୁଟେରା ଗ୍ୟାଙ୍ଗ: ଗଞ୍ଜେଇ ଚାଲାଣରେ ବ୍ୟବହାର ହେଉଥିଲା ଚୋରି ଗାଡ଼ି

ବ୍ରହ୍ମପୁର,୧୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋଲିସ ଟିମ ୫ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କରଛି। ସେମାନଙ୍କ ମଧ୍ୟରେ ୨ଜଣ ଲିଡ଼ର ଥିବାବେଳେ ଦୁଇଜଣ ନାବାଳକ ଅଛନ୍ତି। ଅଭିଯୁକ୍ତମାନେ ଏମ୍‌କେସିଜି ମେଡିକାଲ, କମାପଲ୍ଲୀ ଭେଣ୍ଡିଂଜୋନ ଅଞ୍ଚଳରେ ଲୋକଙ୍କ ଗାଡି ଓ ମୋବାଇଲ ଫୋନ୍‌ ଚୋରି କରୁଥିଲେ। ସେମାନଙ୍କ ନିକଟରୁ ୧୩ଟି ବାଇକ୍‌ ଓ ୫୭ଟି ମୋବାଇଲ ଫୋନ୍‌ ଜବତ କରିଥିବା ଶୁକ୍ରବାର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି। ଗୋଟିଏ ଗ୍ୟାଙ୍ଗରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରର ଏଲ. ଶିବା ରେଡ୍ଡୀ (୨୬) ଲିଡ଼ର ଥିବା ବେଳେ ଅନ୍ୟ ଗ୍ୟାଙ୍ଗକୁ ପାଟପୁର ଥାନା ଅନ୍ତର୍ଗତ କଙ୍କରଡ଼ାର ଶ୍ରୀକାନ୍ତ ପାଢ଼ୀ(୩୦) ଚଳାଉଥିଲେ। ଅନ୍ୟ ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଆଲିଆବାଦର ଉପେନ୍ଦ୍ର ନାୟକ। ୩ ଅଭିଯୁକ୍ତଙ୍କୁ ମାମଲା ନମ୍ବର ୩୭୦/୨୩ରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ୨ ନାବାଳକଙ୍କୁ ବୈଦ୍ୟନାଥପୁର ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଛି। ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି।
ଲୁଟେରା ଗ୍ୟାଙ୍ଗ ଏମ୍‌କେସିଜିକୁ ଆସୁଥିବା ରୋଗୀ ସମ୍ପର୍କୀୟଙ୍କୁ ଟାର୍ଗେଟ କରୁଥିଲେ। ଏଥିରେ କେତେଜଣ ସୁରକ୍ଷାକର୍ମୀଙ୍କ ସହଯୋଗ ରହିଥିବା ଅଭିଯୁକ୍ତଙ୍କୁ ଜେରା ବେଳେ ଜଣାପଡିଛି। ରୋଗୀ ସମ୍ପର୍କୀୟମାନେ ରାତିରେ ଶୋଇପଡିବା ପରେ ଲୁଟେରାମାନେ ସୁରକ୍ଷାକର୍ମୀଙ୍କ ସହାୟତାରେ ମେଡିକାଲରେ ପଶି ସେମାନଙ୍କର ମୋବାଇଲଗୁଡିକ ଚୋରି କରୁଥିଲେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ସେହିପରି ମେଡିକାଲ ପରିସରରୁ ରୋଗୀ ସମ୍ପର୍କୀୟଙ୍କ ବାଇକଗୁଡିକକୁ ମଧ୍ୟ ସେମାନେ ଚୋରାଇ ନେଇ କମ୍‌ ଦାମରେ ବିକ୍ରି କରୁଥିଲେ। କେତେକ ବାଇକକୁ ଲୁଟିଆ ଗ୍ୟାଙ୍ଗ ଗଞ୍ଜେଇ ଚାଲାଣରେ ବ୍ୟବହାର କରୁଥିଲେ ବୋଲି ଏସପି କହିଛନ୍ତି। ଘଟଣାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ଥିବ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଯେଉଁମାନଙ୍କର ମୋବାଇଲ ଫୋନ୍‌ ଓ ଗାଡ଼ି ଚୋରି ହୋଇଛି ସେମାନେ ଗାଡ଼ି ଓ ଫୋନର କାଗଜପତ୍ର ନେଇ ବୈଦ୍ୟନାଥପୁର ଥାନାକୁ ଯିବାପାଇଁ ଏସ୍‌ପି ଖବରଦାତାଙ୍କ ଜରିଆରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏମ୍‌କେସିଜି ମେଡିକାଲ ଓ ଆଖପାଖ ଅଞ୍ଚଳରେ ବାରମ୍ବାର ଗାଡ଼ି ଓ ମୋବାଇଲ ଚୋରି ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା। ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ ହୋଇଥିଲା। ଗୁରୁବାର ପୋଲିସ ଟିମ ଗାଡ଼ି ଧରି ଯାଉଥିବା ଜଣେ ନାବାଳକଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରିବା ବେଳେ ତାହା ଚୋରି ଗାଡ଼ି ବୋଲି ଜଣାପଡିଥିଲା। ପରେ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା।