ଆଲାସ୍କା,୧୭।୭: ଆମେରିକାରେ ଭୟଙ୍କର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଆଲାସ୍କାର ଅନେକ ସ୍ଥାନରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସମ୍ବାଦ ସରବରାହ ସଂସ୍ଥା ଏପିର ଏକ ରିପୋର୍ଟ ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି। ଲୋକମାନେ ଏବେ ବି ଆତଙ୍କିତ ଅଛନ୍ତି। ଭୂମିକମ୍ପ ପରେ ସମସ୍ତେ ଘରୁ ବାହାରକୁ ପଳାଇଛନ୍ତି। ସମୁଦ୍ର ନିକଟରେ ରହୁଥିବା ମତ୍ସ୍ୟଜୀବୀମାନେ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ଦିନ ୧୨ଟା ୩୭ ସମୟରେ ଆମେରିକାର ଆଲାସ୍କା ରାଜ୍ୟର ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ସ୍ୟାଣ୍ଡ ପଏଣ୍ଟରୁ ପ୍ରାୟ ୮୭ କିଲୋମିଟର ଦକ୍ଷିଣରେ ଥିଲା। ଭୂମିକମ୍ପ ପରେ ପ୍ରାୟ ୭.୫ ଲକ୍ଷ ଲୋକ ସୁନାମି ବିପଦର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ମଧ୍ୟ ସତର୍କତା ଜାରି କରାଯାଇଛି। ଭୂମିକମ୍ପ ଯୋଗୁ କେତେ କ୍ଷୟକ୍ଷତି ହୋଇଛି ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ।
ଦକ୍ଷିଣ ଆଲାସ୍କା ଏବଂ ଆଲାସ୍କା ଉପଦ୍ୱୀପ ସହିତ କେନେଡି ଏଣ୍ଟ୍ରାନ୍ସ, ଆଲାସ୍କାରୁ ୟୁନିମାକ ପାସ ଏବଂ ପ୍ରଶାନ୍ତ ମହାସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମିର ଆଶଙ୍କା ରହିଛି। ଭୂମିକମ୍ପ ଦୃଷ୍ଟିରୁ ଆଲାସ୍କା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ୧୯୬୪ ମସିହାରେ ମଧ୍ୟ ଏଠାରେ ୯.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏବେ ପୁଣି ଥରେ ସମଗ୍ର ରାଜ୍ୟ ଆତଙ୍କିତ।


