ବଡ଼ଚଣାରେ ଖୋଲିଲା ବିହନ ପରୀକ୍ଷା କେନ୍ଦ୍ର

ଚଣ୍ଡିଖୋଲ,୧୪ା୧୧(ଡି.ଏନ.ଏ.): ବଡ଼ଚଣାଠାରେ ଏକ ବିହନ ପରୀକ୍ଷାଗାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାକୁ ଶୁକ୍ରବାର କୃଷିମନ୍ତ୍ରୀ ଅରୁଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉପ୍ତାଦ ପ୍ରମାଣନ ସଂସ୍ଥା ଦ୍ୱାରା ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସଂସ୍ଥାର ନିର୍ଦ୍ଦେଶକ ସୁବ୍ରତ୍‌ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟବକ୍ତାଭାବେ ଯୋଗଦେଇ ୧ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଥିବା ସୂଚନା ଦେଇଥିଲେ। ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିହନ ପରୀକ୍ଷାଗାର ପ୍ରତିଷ୍ଠା ହେବା ଦ୍ୱାରା ଜିଲାର ଚାଷୀଙ୍କ ଉନ୍ନତି ଘଟିବ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିହନ ପ୍ରମାଣନ ଅଧିକାରୀ ନିରଞ୍ଜନ ମାଝି, ରାଜ୍ୟ ବିହନ ପ୍ରମାଣନ ଅଧିକାରୀ ଜଗଦିଶ୍‌ ଚନ୍ଦ୍ର ମହାନ୍ତି, ଡା. ଆଦିତ୍ୟ କୁମାର ପାତ୍ର, ଡା. ପରେଶ କୁମାର ପଣ୍ଡା, ସମ୍ବିତ କୁମାର ପାଣିଗ୍ରାହୀ ଏବଂ ପରୀକ୍ଷାଗାରରେ ନୂତନଭାବେ ଯୋଗଦେଇଥିବା ବିହନ ପରୀକ୍ଷଣ ଅଧିକାରୀ ନୃସିଂହ ଚରଣ ବେହେରା ଓ ନିବେଦିତା ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।