ଡକାୟତି ଯୋଜନା ବେଳେ ପୋଲିସର ଚଢ଼ାଉ: ୩ ଗିରଫ, ଖସିଗଲେ ୨

ବଡ଼ବିଲ,୨୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ କାଶିଆ ଜଙ୍ଗଲରେ ଚଢ଼ାଉ କରି ଡକାୟତି ଯୋଜନା କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ଅଭିଯୁକ୍ତ ପୋଲିସକୁ ଚକ୍‌ମା ଦେଇ ଖସିଯିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ଝାଡ଼ଖଣ୍ଡ ରାଜ୍ୟର। ସେମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ଗୁଆ ଥାନା ଅଞ୍ଚଳର ବିକାଶ କୁମାର ସିଂହ ଓ ଶ୍ୟାମ ସୁନ୍ଦର ଦାସ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ ପକ୍କା ହଟିଂ ଅଞ୍ଚଳର ଏମ୍‌ଡି ମୁସ୍ତାକ୍‌।
ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ବିଲ ଥାନା କାଶିଆ ଅଞ୍ଚଳରେ କିଛି ଦୁର୍ବୃତ୍ତ ଡକାୟତି ଯୋଜନା କରୁଥିବା ପୋଲିସ ପାଟ୍ରୋଲିଂ ଟିମ୍‌ ସୂଚନା ପାଇଥିଲା। ଏହି ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ତେବେ ପୋଲିସକୁ ଦେଖି ୨ ଜଣ ଦୁର୍ବୃତ୍ତ ଚକ୍‌ମା ଦେଇ ଖସିଯିବାରେ ସକ୍ଷମ ହୋଇଥିଲା ବେଳେ ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ। ସେମାନଙ୍କ ନିକଟରୁ ପୋଲିସ ଏକ ଦେଶୀ ବନ୍ଧୁକ, ଗୁଳି, ଭୁଜାଲି ଓ ଏକ ବାଇକ୍‌ ସହ ମଦ ବୋତଲ ଓ ଲଙ୍କା ଗୁଣ୍ଡ ପ୍ୟାକେଟ୍‌ ଜବତ କରିଥିଲା। ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଦୁଇ  ଦୁର୍ବୃତ୍ତଙ୍କ ସନ୍ଧାନ କରିଛି। ଏମାନେ ବଡ଼ବିଲ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଜାଣିବାକୁ ପାଇଥିଲା। ଏ ନେଇ ବୁଧବାର ପାଲିସ ବଡ଼ବିଲ ଥାନା କେସ୍‌ ନଂ ୨୬୮/୨୨ରେ ଏକ ମାମଲା ରୁଜୁ କରି ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।