ସାମୁଦ୍ରିକ ବିରଳ ସବୁଜ ଶାମୁକା ବାହାରକୁ ଚାଲାଣ

ମହାକାଳପଡ଼ା,୧୫ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ଲଞ୍ଚଘୋଲା, ମାଦଳୀ, ଚଟକା ମହାନଦୀ ତ୍ରିକୋଣଭୂମି ଅବବାହିକା ଅଞ୍ଚଳରୁ ମତ୍ସ୍ୟଜୀବୀ ବହୁ ପରିମାଣର ବିରଳ ସାମୁଦ୍ରିକ ସବୁଜ ଶାମୁକା ସଂଗ୍ରହ କରିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ଧରିବା ନଁାରେ ଛୋଟ ଛୋଟ ଡଙ୍ଗାରେ ଅତି ସତର୍କତାର ସହ ଏହି ଶାମୁକା ସଂଗ୍ରହ କରିଥାନ୍ତି। ଏହି ବିରଳ ଶାମୁକାର ମୂଲ୍ୟ ବିଦେଶରେ ବେଶ୍‌ ଚାହିଦା ରହିଛି। ଏହି ଶାମୁକା ନାଲି ପଟୁମାଟି, ବନ୍ୟାଜଳ ଖାଇବା ପାଇଁ ଗଭୀର ସମୁଦ୍ରରୁ ବର୍ଷାଦିନେ କୂଳକୁ ଆସିଥାନ୍ତି ବୋଲି ମତ୍ସ୍ୟଜୀବୀ କହିଛନ୍ତି। ଏହାକୁ ସଂଗ୍ରହ କରିବା ସମୟରେ ସତର୍କତା ନ ଆପଣାଇଲେ ହାତଗୋଡ଼ କଟିଯିବାର ଭୟ ରହିଥାଏ। ଏହାକୁ ବ୍ୟବସାୟୀମାନେ କିଗ୍ରା ପ୍ରତି ୨ରୁ ୩ ଶହ ଟଙ୍କା ଦେଇ କିଣିନେଉଥିବା ଦେଖିବାକୁ ମିଳିଛି।
ବିଶେଷକରି ବର୍ଷାଋତୁରେ ସମୁଦ୍ର କୂଳ ବାଲି ପଟୁମାଟିରେ ଜୀବନ୍ତ ଭାବେ ସବୁଜ ଶାମୁକା ବିଚରଣ କରିଥାନ୍ତି। ଏହି ଶାମୁକାର ନାଳ, ରସ ଓ ମାଂସରେ ଔଷଧ ପ୍ରସ୍ତୁତ କରାଯାଉଥିବାରୁ ଏହାର ଚାହିଦା ରହିଛି ବୋଲି ନାମ ଗୋପନ ରଖିବା ସର୍ତ୍ତରେ କେତେଜଣ ମତ୍ସ୍ୟଜୀବୀ କହିଛନ୍ତି। ସମୁଦ୍ର କୂଳରୁ କୁଇଣ୍ଟାଲ କୁଇଣ୍ଟାଲ ସବୁଜ ଶାମୁକା କିଣି ବସ୍ତାରେ ପୂରାଇ ଡଙ୍ଗା ସାହାଯ୍ୟରେ ପ୍ରଥମେ ପାରାଦୀପ ନିଆଯାଏ। ପରେ ଟ୍ରକ୍‌ ଯୋଗେ ସେଠାରୁ କୋଲ୍‌କତା, ଆନ୍ଧ୍ରପ୍ରଦେଶ ଦେଇ ବିଦେଶକୁ ଚାଲାଣ କରାଯାଇଥାଏ ବୋଲି ମତ୍ସ୍ୟଜୀବୀ କହିଛନ୍ତି। ଏହି ବିରଳ ପ୍ରଜାତିର ସବୁଜ ଶାମୁକା ବନ୍ୟପ୍ରାଣୀ ସୁରକ୍ଷା ସଂରକ୍ଷଣ ଆଇନ ୧୯୭୨ ସିଡୁଲ୍‌ରେ ଉଲ୍ଲେଖ ରହିଛି ବୋଲି କୁହାଯାଇଛି। ଆଗାମୀ ଦିନରେ ଏହି ଅଞ୍ଚଳରୁ ଏହା ଲୋପ୍‌ ପାଇଯିବ ବୋଲି ପରିବେଶବିତ୍‌ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି ଅଞ୍ଚଳର ବତୀଘର ପଞ୍ଚାୟତର ସ୍ଥାନୀୟ କଜଳପାତିଆ ଅଞ୍ଚଳରୁ ଦୈନିକ ଡଙ୍ଗା ସାହାଯ୍ୟରେ ଶାମୁକା ବସ୍ତା ବସ୍ତା ହୋଇ ପାରାଦୀପ ଅଞ୍ଚଳର କେତେଜଣ ବ୍ୟବସାୟୀ ସଂଗ୍ରହ କରି ନେଉଥିବା ଅଭିଯୋଗ ହେଉଛି। ଏଥିପ୍ରତି ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।