୧୦ ଫୁଟ ତଳକୁ ଖସିଲା ପାଟ୍ରୋଲିଂ ଗାଡ଼ି, ୨ ଗୁରୁତର

ବାରିପଦା ଅଫିସ,୨ା୭: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି କେନାଲ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ହାତୀ ସୁରକ୍ଷା ଡ୍ୟୁଟି ସାରି ଫେରୁଥିବା ବନ ବିଭାଗର ଏକ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦ ଫୁଟ ତଳକୁ ଖସିପଡ଼ିଥିଲା। ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜରେ ହାତୀପଲଙ୍କ ଉପଦ୍ରବ କ୍ରମଶଃ ଉଦ୍‌ବେଗଜନକ ସ୍ଥିତିରେ। ଦୁଇଟି ହାତୀ ମସିଣାକାଟି ଗ୍ରାମ ଅଭିମୁଖେ ଅଗ୍ରସର ହେଉଥିବା ଖବର ପାଇ ବନ ବିଭାଗର ଏକ ଟିମ୍‌ ଏହି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା । ତେବେ ରାତି ପ୍ରାୟ ତିନିଟା ପାଖାପାଖି ଭାରସାମ୍ୟ ହରାଇ ଗାଡ଼ିଟି ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ଉଦଳା ରେଞ୍ଜର ବନପାଳ ବିଦ୍ୟାଧର ପୃଷ୍ଟିଙ୍କ ସମେତ ଚାଳକ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ।
ତେବେ ଗାଡ଼ିରେ ବସିଥିବା ବେତନଟୀ ରେଞ୍ଜ କୃଷ୍ଣଚନ୍ଦ୍ରପୁର ସେକ୍ସନର ବନରକ୍ଷୀ ରାଇଦନ ସିଂ ଏବଂ ଉଦଳା ଅଞ୍ଚଳର ପାରା ବନ କର୍ମଚାରୀ ସାମଲ ସିଂ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କର ବାମପାର୍ଶ କାନ୍ଧ ହାଡ଼ ଭାଙ୍ଗି ଯାଇଛି। ସମସ୍ତଙ୍କୁ ଉଦ୍ଧାରକରି ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁ ରହିଛି ।