ରାଉରକେଲା ଅଫିସ,୧୯ା୯:ରାଉରକେଲା ସେକ୍ଟର-୭ ପୋଲିସ ଶନିବାର ମୁଣ୍ଡାରୀ ବସ୍ତିର ଅଳିଆଗଦାରେ ପଡିଥିବା ବ୍ୟାଗ୍ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି। ଖବର ପାଇ ପୋଲିସ ଉକ୍ତ ଶିଶୁକୁ ଚିକିତ୍ସାଲାଗି ଆରଜିଏଚ୍ର ମାତୃ ଶିଶୁ ବିଭାଗରେ ଭର୍ତ୍ତି କରିଛି। ତେବେ ଉକ୍ତ ଶିଶୁ କାହାର ତାହା ଜଣାପଡିନାହିଁ।
ସୂଚନା ଅନୁସାରେ, ଶନିବାର ମୁଣ୍ଡାରୀ ବସ୍ତିରେ ଥିବା ଅଳିଆଗଦାରେ ଏକ ବ୍ୟାଗ୍ ରଖାଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଉକ୍ତ ବ୍ୟାଗ୍ଟି ବାରମ୍ବାର ଦୋହଲିବାରୁ ସ୍ଥାନୀୟ ଲୋକେ ସେଥିରେ କଣ ରହିଥିବା ଜାଣିବା ପାଇଁ ସେଠାକୁ ଯାଇଥିଲେ ଏବଂ ବ୍ୟାଗ୍ ଭିତରେ ନବଜାତ ଶିଶୁକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନବଜାତ ଶିଶୁକୁ ଉଦ୍ଧାର କରି ତୁରନ୍ତ ଆରଜିଏଚ୍ର ମାତୃଶିଶୁ ବିଭାଗରେ ଭର୍ତ୍ତି କରିଥିଲା। ଉକ୍ତ ଶିଶୁଟି କାହାର ଓ ବ୍ୟାଗ୍ ଭିତରେ ତାକୁ କିଏ ଛାଡି ଚାଲିଯାଇଛନ୍ତି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶିଶୁଟିର କୌଣସି ପରିଚୟ ମିଳିନାହିଁ। ଏ ସମ୍ପର୍କରେ ଆରଜିଏଚ୍ ଡାଇରେକ୍ଟର ଡାକ୍ତର ସନ୍ତୋଷ ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ସୁନ୍ଦରଗଡ ଜିଲା ଶିଶୁ କଲ୍ୟାଣ ସମିତିକୁ ଏ ବିଷୟରେ ଅବଗତ କରାଇଛୁ। ଶିଶୁଟି କାହାର କୌଣସି ପରିଚୟ ନ ମିଳିଲେ ଆଇନଗତ ଭାବେ ଶିଶୁଟିକୁ ସମିତିକୁ ହସ୍ତାନ୍ତର କରାଯିବ ବୋଲି ସେ କହିଥିଲେ।


