ସ୍ବଧାର ଗୃହରୁ ନାବାଳିକା ନିଖୋଜ

ଆନନ୍ଦପୁର,୧୮ା୩(ସ୍ବ.ପ୍ର.): ଘସିପୁରା ଥାନା ଧକୋଠାଠାରେ ଥିବା ସ୍ବାଧାର ଗୃହରୁ ଜଣେ ନାବାଳିକା ନିଖୋଜ ଥିବା ସୂଚନା ମିଳିଛି। ନାବାଳିକା ଜଣଙ୍କ ଗୁରୁବାର ରାତିରୁ ନିଖୋଜ ଥିବା ଜଣାପଡ଼ିଛି। ଏନେଇ ଘସିପୁରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ନିଖୋଜ ନାବାଳିକାଙ୍କର ଏଯାଏ କୌଣସି ସନ୍ଧାନ ମିଳିପାରିନି। ଗୁରୁବାର ରାତି ୭.୩୦ରୁ ୮ଟା ମଧ୍ୟରେ ନାବାଳିକାଙ୍କୁ ଖାଇବାକୁ ଡାକିବା ସମୟରେ ସେ ସେଠାରେ ଉପସ୍ଥିତ ନ ଥିବା ସପୁରିଟେଣ୍ଡେଣ୍ଟ ନମିତା ସାହୁ ସୂଚନା ଦେଇଛନ୍ତି। ସ୍ବାଧାର ଗୃହର କାଉନସିଲର ସୁମତି ସାହୁଙ୍କ କହିବା ଅନୁଯାୟୀ, ରାତି ଖାଇବା ପାଇଁ ପ୍ରାୟ ୮ଟାରେ ନାବାଳିକାଙ୍କୁ ସୂଚନା ଦେବା ସମୟରେ ତାଙ୍କୁ ପାଇ ନ ଥିଲୁ। ବହୁ ଖୋଜା ଖୋଜି କରିବା ପରେ ବିଫଳ ହୋଇ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ନିକଟରେ ସମ୍ପୃକ୍ତ ନାବାଳିକାଙ୍କୁ ରାମଚନ୍ଦ୍ରପୁର ପୋଲିସ ସ୍ବାଧାର ଗୃହରେ ଥଇଥାନ କରିଥିଲେ। ତେବେ କେଉଁ ପରିସ୍ଥିତିରେ ନାବାଳିକା ଫେରାର ରହିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରୁନି। ସମ୍ପୃକ୍ତ ନାବାଳିକା ପୂର୍ବରୁ ଫେରାର ଥିଲେ, ତାଙ୍କୁ କୋଇମ୍ବାଟୁରରୁ ଉଦ୍ଧାର କରାଯାଇ ସ୍ବାଧାର ଗୃହରେ ଥାଇଥାନ କରାଯାଇଥିଲା। ପୁନର୍ବାର ନାବାଳିକା ଜଣଙ୍କ ଭଲ ପାଉଥିବା ପିଲା ସହିତ ଫେରାର ହୋଇଛନ୍ତି, ଖୁବ୍‌ଶୀଘ୍ର ତାଙ୍କୁ ଉଦ୍ଧାର କରାଯିବ ବୋଲି ଘସିପୁରା ଥାନାଧିକାରୀ ବିକ୍ରମ କୁମାର ଭୂୟାଁ ସୂଚନା ଦେଇଛନ୍ତି।