ଶାଗ ତୋଳିବା ବେଳେ ଗଛରୁ ଖସିପଡି ଚାଲିଗଲା ଜୀବନ

ବାଲିଗୁଡା,୩।୪:(ଡି.ଏନ.ଏ): ଶାଗ ତୋଳିବା ବେଳେ ଗଛରୁ ଖସିପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, କୋଟଗଡ ଥାନା ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତ ରଡା ଗ୍ରାମର ମାଧବ ମୁଠାମାଝୀ (୫୦ ବର୍ଷ) ସୋମବାର ବରଡା ଶାଗ ତୋଳିବା ପାଇଁ ଗଛ ଉପରେ ଚଢିଥିଲେ । ଅସାବଧାନତା ବଶତଃ ସେ ପ୍ରାୟ ୨୫ ଫୁଟ୍‌ ଉପରୁ ତଳକୁ ଖସି ପଡ଼ିଥିଲେ l ପରିବାର ଲୋକେ ତାଙ୍କୁ ତୁରନ୍ତ ନେଇ କୋଟଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଟାଉନ ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଏଏସ୍‌ଆଇ ବାଳକୃଷ୍ଣ ପାଇଁ ସୂଚନା ଦେଇଛନ୍ତି ।