ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଶନିବାର ସାଉଥ୍ ୟର୍କସାୟର୍ ପୋଲିସ ଏହି ସୂଚନା ଦେଇଛି। ଏହି ଘଟଣା ପରେ ରବିବାର ପର୍ଯ୍ୟନ୍ତ ପାର୍କ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଡୋନକାଷ୍ଟର ନିକଟସ୍ଥ ଏହି ଓ୍ବାଇଲ୍ଡଲାଇଫ୍ ପାର୍କରେ ଜଣେ ବ୍ୟକ୍ତି ବାଘର ଏନକ୍ଲୋଜର୍ ଭିତରକୁ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା। ଏହି ଭୟଙ୍କର ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଡାକ୍ତରୀ ଦଳଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଘଟଣାସ୍ଥଳରେ ହିଁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଏ ବିଷୟରେ ଅବଗତ କରାଯାଇଛି ଏବଂ ସ୍ୱତନ୍ତ୍ର ପୋଲିସ୍ ଅଧିକାରୀମାନେ ସେମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛନ୍ତି। ପୋଲିସ୍ ଏହି ଦୁଃଖଦ ସମୟରେ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି।
ବାଘର ସ୍ଥିତିକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ବିଭିନ୍ନ ଗୁଜବ ଉପରେ ପ୍ରତିକ୍ରିୟା ରଖି ପୋଲିସ୍ ସ୍ପଷ୍ଟ କରିଛି ଯେ, ଘଟଣା ପରେ ବାଘଟି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ଏବଂ ଏହା ନିର୍ଦ୍ଧାରିତ ଏନକ୍ଲୋଜର୍ ଭିତରେ ହିଁ ରହିଛି। ସାଧାରଣ ଜନତାଙ୍କ ପାଇଁ ବର୍ତ୍ତମାନ କୌଣସି ବିପଦ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଅନ୍ଲାଇନ୍ରେ ଭାଇରାଲ୍ ହେଉଥିବା ଏହି ଘଟଣାର ଭିଡିଓ ସମ୍ପର୍କରେ ମଧ୍ୟ ପୋଲିସ ଅବଗତ ଅଛି। ଏପରି ଦୁଃଖଦ ଏବଂ ସମ୍ବେଦନଶୀଳ ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ ଆଉ ଅଧିକ
ଶେୟାର ନ କରିବାକୁ ପୋଲିସ ସାଧାରଣ ଜନତାଙ୍କୁ ଅନୁରୋଧ କରିଛି।