ଆନନ୍ଦପୁର, ୨୩।୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲାରୁ ଲୁହାପଥର ଚାଲାଣ ପାଇଁ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ଏମ୍ପ୍ରୋକନ ଠିକା ସଂସ୍ଥା ଦ୍ୱାରା ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ସ୍ଲରି ପାଇପ ବିଛାଇବା କାମ ଚାଲିଛି । ତେବେ ଘଷିପୁରା ଥାନା ଭାଲୁକୁମା ଅଞ୍ଚଳରେ ଗତକାଲି ଶୁକ୍ରବାର ପାଇପ ବିଛାଇବା ବେଳେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ଭୟଭୀତ ହୋଇ ଘରୁ ବାହାରକୁ ଜୀବନ ବିକଳରେ ଦୌଡ଼ି ଆସିଥିଲେ ପରିବାର ଲୋକେ। ଅଭିଯୋଗ ଅନୁସାରେ ପାଇପ ବିଛାଇବା ସମୟରେ ହେଉଥିବା ଭାଇବ୍ରେସନ ଯୋଗୁ ଅନେକ ଲୋକଙ୍କ ଘର ଫାଟିଯାଉଛି ତ କାହା ଘରେ ପାଣି ପଶୁଛି । ସ୍ଥାନୀୟ ବାସିନ୍ଦା ଭଗବାନ ପଲେଇଙ୍କ ଘରର କାନ୍ଥ ଫାଟି ଆଁ କରିଛି । ଘରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବାରୁ ପରିବାର ମଧ୍ୟରେ ଆତଙ୍କ ଖେଳିଯାଇଛି । ଯେକୌଣସି ସମୟରେ ବଡ଼ ଅଘଟଣ ଘଟିପାରେ ବୋଲି ସ୍ଥାନୀୟ ଲୋକେ ଭୟ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ନିୟମ ରହିଛି ପ୍ରାୟ ୩୦ ଫୁଟ ଗଭୀରରେ ସ୍ଲରି ପାଇପ ବିଛାଯିବା କଥା । କିନ୍ତୁ ଠିକା ସଂସ୍ଥା ପକ୍ଷରୁ ମାତ୍ର ୧୦ରୁ ୧୫ ଫୁଟ ଗଭୀରରେ କାମ କରାଯାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକେ କାମ ବନ୍ଦ କରିଦେଇଛନ୍ତି । ଅନ୍ୟପଟେ କ୍ଷତିଗ୍ରସ୍ତ ପରିବାରକୁ ଯଥୋଚିତ କ୍ଷତିପୂରଣ ଓ ସୁରକ୍ଷା ବ୍ୟବସ୍ଥା ଦାବି କରିଛନ୍ତି ଗ୍ରାମବାସୀ । ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି ହୋଇଛି । ସ୍ଲରି ପାଇପ କାମରେ ଅବହେଳା ନା ନିୟମ ଉଲଂଘନ ? କାହାର ଭୁଲ ପାଇଁ ବିପଦ ମୁହାଁରେ ସାଧାରଣ ଲୋକଙ୍କ ଜୀବନ ? ଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦାଦାଗିରି ହେଉଥିବା ଅଭିଯୋଗ ହୋଇଛି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ପଦକ୍ଷେପ ଗ୍ରହଣ କରିବା ସହ ଘର ଫାଟିଥିବା ପରିବାରକୁ ସହାୟତା ଦେଉଛି । ନହେଲେ ଆଗକୁ ୨୦ ନମ୍ବର ରାଜରାସ୍ତା ଅବିରୋଧ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏହାକୁ ନେଇ ଭଗବାନ ପଲେଇ ଘଷିପୁରା ଥାନା, ଘଷିପୁରା ତହସିଲ, ଆନନ୍ଦପୁର ଉପଜିଲାପାଳଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡ଼ିଛି ।