ଏମତିି ଟୋପି ଗରମ ହେଲେ ଚାଲିବ ଫ୍ୟାନ ରାତିରେ ଜଳିବ ଲାଇଟ୍‌

ଶିମଲା,୨୫।୬: ସାରା ଦେଶରେ ଗୀଷ୍ମର ଲହରୀ ଜାରି ରହିଛି। ଏଥିଯୋଗୁ ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଛି। ବାହାରକୁ ଗଲେ ଟାଣ ଖରା ଓ ଗୁଳଗୁଳିରେ ଲୋକମାନେ ଡହଳବିକଳ ହୋଇପଡ଼ୁଛନ୍ତି। ଆଉ ଏଥିରୁ ନିସ୍ତାର ପାଇବା ପାଇଁ କିଏ ଛତା ତ କିଏ ଟୋପି ବ୍ୟବାହାର କରୁଛନ୍ତି। କିନ୍ତୁ ଟୋପି ପିନ୍ଧିଲେ ମଧ୍ୟ ମୁଣ୍ଡରେ ଝାଳ ବୋହୁଥିବାରୁ ଏହାକୁ ବାରମ୍ବାର କାଢ଼ିବାକୁ ପଡିଥାଏ। ତେବେ ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ଏକ ଟୋପି ତିଆରି କରାଯାଇଛି। ଯେଉଁ ଟୋପିକୁ ପିନ୍ଧିଲେ ଦିନରେ ଥଣ୍ଡା ଲାଗିବ ଏବଂ ରାତିରେ ଆଲୁଅ ଜଳିବ। ଏହି କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ବିଶ୍ୱାସ ବି ହେଉନି। ହେଲେ କଥାଟି ସତ। ଏହି ଆଶ୍ଚର୍ଯ୍ୟକର ଘଟଣାଟି ହେଉଛି ହିମାଚଳ ପ୍ରଦେଶର। ହିମାଚଳ ପ୍ରଦେଶ କରଶୋଗ ସବ୍‌-ଡିଭିଜନ୍‌ର ଟିକର ଗାଁରେ ରହୁଥିବା ଓମ୍‌ ପ୍ରକାଶ ଏକ ଏଭଳି ଟୋପି ତିଆରି କରିଛନ୍ତି ଯେଉଁଥିରେ ସକାଳେ ଗରମ ହେଲେ ଫ୍ୟାନ୍‌ ଓ ରାତିରେ ଲାଇଟ୍‌ ଜଳେ। ସୂଚନାଯୋଗ୍ୟ, ଓମ୍‌ପ୍ରକାଶ ହୃଦ୍‌ରୋଗରେ ଆକ୍ରାନ୍ତ ହେବା ପରେ ଦ୍ୱାଦଶ ଅଧାରୁୁ ପାଠପଢ଼ା ଛାଡ଼ିଦେଇଥିଲେ। ଏହାପରେ ଗରମରୁ ଲୋକଙ୍କୁ ନିସ୍ତାର ଦେବା ଲାଗି ଏକ ହାଇଟେକ୍‌ ସୋଲାର ଇଲେକ୍‌ଟ୍ରିକ୍‌ ଟୋପି ପ୍ରସ୍ତୁତ କରିଥିଲେ। ଯାହାର ନାମ ରଖିଛନ୍ତି ‘ହିମାଚଳି ଟୋପି’। ଏହାର ବିଶେଷତଃ ହେଉଛି ଏଥିରେ ଫ୍ୟାନ୍‌ ସହ ଲାଇଟ୍‌ ମଧ୍ୟ ଲାଗିଛି। ଉକ୍ତ ଟୋପିର ଉପର ଭାଗରେ ସୋଲାର ପ୍ଲେଟ ଲଗାଯାଇଥିବା ବେଳେ ତଳଭାଗରେ ଏକ ଫ୍ୟାନ୍‌ ଲଗାଯାଇଛି। ଏଥିସହ ଟୋପିରେ ଏକ ଫୁଲରେ ଏଲ୍‌ଇଡି ଲାଇଟ୍‌ ମଧ୍ୟ ଲାଗିଛି। ଯାହା ରାତିରେ ଚମକିବା ସହ ଲାଇଟ୍‌ ମଧ୍ୟ ଜଳିଥାଏ। ଏହି ଟୋପି ଓ ଓମ୍‌ପ୍ରକାଶ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟଛନ୍ତି। ତେବେ ଦେଶ ଓ ବିଦେଶରେ ଏହି ପ୍ରସିଦ୍ଧ ହିମାଚଳି ଟୋପିକୁ ପିନ୍ଧିବା ରାଜ୍ୟବାସୀଙ୍କ ପାଇଁ ଏକ ଗର୍ବର କଥା।

Share