ଅର୍ଥାଭାବରୁ ରୋଗଶଯ୍ୟାରେ ଝିଅ

ମାଥିଲି,୫ା୯(ସୁବାଷ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା କଦମଗୁଡା ପଞ୍ଚାୟତର ଖୁରୀଗୁଡା ଗ୍ରାମ ଜୟରମା କିର୍ଷାନୀଙ୍କ ଝିଅ ସଞ୍ଜୁ(୭)। ଆଜିକୁ ୨ ବର୍ଷ ଧରି ରୋଗ ଶଯ୍ୟାରେ ପଡି ଯନ୍ତ୍ରଣା ଭୋଗୁଛନ୍ତି। ଖଇରପୁଟ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିଲେ। ଏଥିଯୋଗୁ ପାଠରେ ଡୋରି ବନ୍ଧା ହୋଇଛି। ପ୍ରଥମେ ତାଙ୍କୁ ଜ୍ୱର ହେବା ପରେ ଧୀରେ ଧୀରେ ଏକ ଅଜଣା ରୋଗ ମାଡ଼ି ବସିଲା। ପ୍ରଥମେ ତାଙ୍କୁ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ସେଠାରେ ଭଲ ନ ହେବାରୁ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଭଲ ନ ହେବାରୁ ଘରେ ଫେରି ଆସିଥିଲେ। ଜମିବାଡ଼ି ବନ୍ଧା ପକାଇ ଓ ସାହି ପଡିଶାଠାରୁ ଧାର କରଜ କରି କୋରାପୁଟ ନେଇଥିଲେ ସେଠାରେ କିଛି ଦିନ ରହିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ କଟକ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ା ଟଙ୍କା ସବୁ ସରିଯାଇଥିଲା ତେଣୁ କୌଣସି ଉପାୟ ନ ପାଇ ଘରକୁ ନେଇ ଆସିଲେ ପରିବାର ଲୋକେ । ଏବେ ଘରେ ବିଛଣାରେ ପଡି ଛଟପଟ ହେଉଛନ୍ତି ସଞ୍ଜୁ । ରୋଗ କ’ଣ ହୋଇଛି ସ୍ଥାନୀୟ ଡାକ୍ତର ଚିହ୍ନି ପାରୁ ନାହାନ୍ତି ।
୬ ପ୍ରାଣୀଙ୍କୁ ନେଇ ଜୟରମା କିର୍ଷାନୀଙ୍କ ସଂସାର। ସରକାରୀ ସୁବିଧା କହିଲେ ମାସକୁ ୩୦ କେଜି ଚାଉଳ ମିଳୁଛି l ତାହା ମଧ୍ୟ ମାସେ ଯାଉନାହିଁ। ମା ସକାଳ ହେଲେ ପର ଘରେ ମୂଳ ଲାଗିବାକୁ ଯାଉଛନ୍ତି । ଯାହା ଦୁଇ ପଇସା ମିଳିଲେ ଚୁଲି ଜଳୁଛି । ବାପା ଜୟରାମ ଘରେ ରହି ଝିଅର ସେବା ଯତ୍ନ ନେଉଛନ୍ତି। ତାଙ୍କର ମଧ୍ୟ ଗୋଟିଏ ଆଖି ଭଲ ଥିବାବେଳେ ଅନ୍ୟ ଆଖିଟି ସମ୍ପୂର୍ଣ ଖରାପ ହୋଇଯାଇଛି l ଗୋଟିଏ ପଟେ ଯନ୍ତ୍ରଣାରେ ଝିଅ ଛଟପଟ ହେଉଛି, ଅନ୍ୟପଟେ ଛଅ ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ କରିବାର ଚିନ୍ତା ଘାରିଛି। ଜିଲା ପ୍ରଶାସନ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।