ଏ.ଜି . କାର୍ଯ୍ୟାଳୟରେ ପହଞ୍ଚିନି ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌ କାଗଜପତ୍ର ଭୁବନେଶ୍ୱରସ୍ଥିତ ଏ.ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାକୁ ଅପେକ୍ଷାରେ ଅଛନ୍ତି। ଅପରପକ୍ଷରେ ଭୁବନେଶ୍ୱରର ଏଜି ଅଫିସର ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ଆରମ୍ଭ କରି ଅଧସ୍ଥନ କର୍ମଚାରୀ ଗୁରୁବାର ଗଞ୍ଜାମ ଜିଲା ଛତ୍ରପୁର ଆସି ୨ ଦିନିଆ ପେନ୍‌ସନ୍‌ ଅଦାଲତ ଆରମ୍ଭ କରିଛନ୍ତି। ଜିଲାସ୍ତରୀୟ ପେନ୍‌ସନ୍‌ ଅଦାଲତ ସ୍ଥାନୀୟ ‘ଋଷିକୂଲ୍ୟା’ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଜିଲା ମାଜିଷ୍ଟ୍ରେଟ୍‌ ତଥା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ବରିଷ୍ଠ ଉପମହାଲେଖାର ଶ୍ରୀରାଜ ଅଶୋକ ପେନ୍‌ସନ୍‌ ମଞ୍ଜୁରକର୍ତ୍ତା ଠିକ୍‌ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନ୍‌ସନ୍‌ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପଠାଯାଉ ନ ଥିବାରୁ ପେନ୍‌ସନ୍‌ ପ୍ରଦାନରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଥିଲେ। ସେମାନଙ୍କର ପେନ୍‌ସନ୍‌ କାଗଜପତ୍ର ଯଦି ଏହି ଅଦାଲତରେ ଉପସ୍ଥାପନ କରାଯାଇପାରିବ ସେମାନେ ଆସନ୍ତା ୭ ଦିନ ମଧ୍ୟରେ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ଏ.ଜି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇପାରିବ ବୋଲି ଉପମହାଲେଖାର ସୁଶ୍ରୀ ଅରୁଣା କହିଥିଲେ l ଅତିରିକ୍ତ ଜିଲାପାଳ ଶ୍ରୀମତୀ ଖେସ୍‌ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର ସୁକାନ୍ତ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଭିଯୋଗ ଶୁଣାଣି କରି ୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟର ମଞ୍ଜୁରୀ ଆଦେଶ ପ୍ରଦାନ କରିଥିଲେ l ବରିଷ୍ଠ ଲେଖା ଅଧିକାରୀ ନାଗେଶ ରାଓ ଓ ମନୋରଞ୍ଜନ ପାଣିଗ୍ରାହୀ ଏହି ପେନ୍‌ସନ୍‌ ଅଦାଲତ ପରିଚାଳନା କରିବା ସହ ନୂଆ ପଦ୍ଧତି ଅନ୍‌ଲାଇନ୍‌ ମାଧ୍ୟମରେ କିପରି ପେନ୍‌ସନ୍‌ କାଗଜ ଏ.ଜି କାର୍ଯ୍ୟାଳୟକୁ କିପରି ପଠାଯାଇପାରିବ ତା’ ଉପରେ ମଞ୍ଜୁରକର୍ତ୍ତାମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଅଦାଲତକୁ ସହକାରୀ କଲ୍ୟାଣ ଅଧିକାରୀ ସୁଦର୍ଶନ ସାହୁ, କଲ୍ୟାଣ କୁମାର ପଣ୍ଡା, ସ୍ବତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ, ପ୍ରତିଷ୍ଠାନ ଅଧିକାରୀ ଲଷ୍ମୀନାରାୟଣ ପାଣିଗ୍ରାହୀ, ଚନ୍ଦ୍ରଶେଖର ବେହେରା, ନିରଞ୍ଜନ ଚୌଧୁରୀ ଓ ପାପୁନ କୁମାର ପଢ଼ିଆରୀ ପରିଚାଳନା କରିଥିଲେ।