ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା ଥାନା ଅଧୀନ ନରସିଂହସିଲା ବସ୍ତିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବେତେଇ ରାଜସ୍ବ ଗ୍ରାମର ଡମ୍ବୁରୁ ହୋ (୩୬)। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବନ୍ଧୁ ଗଣ୍ଡ ହୋ (୩୫)ଙ୍କୁ ଗିରଫ କରିଛି।
ଅନୁଯାୟୀ, ଡମ୍ବୁରୁ ଏବଂ ମୟୂରଭଞ୍ଜ ଜିଲା ଶରତ ଥାନା ବ୍ରାହ୍ମଣୀପାଳ ଗ୍ରାମର ଗଣ୍ଡ ହୋ’ଙ୍କ ମଧ୍ୟରେ ପ୍ରାୟ ବର୍ଷେ ପୂର୍ବରୁ କୌଣସି କାରଣକୁ ନେଇ ବିବାଦ ରହିଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇ ବନ୍ଧୁତା ସ୍ଥାପନ ହୋଇଥିଲା। ହେଲେ ଗଣ୍ଡଙ୍କ ମନ ଭିତରେ ପ୍ରତିଶୋଧର ନିଆଁ ଜଳୁଥିଲା। ସୋମବାର ବିଳମ୍ବିତ ରାତିରେ ଗଣ୍ଡ ଏକ ସୁଚିନ୍ତିତ ଯୋଜନା କରି ଡମ୍ବୁରୁଙ୍କ ଘରକୁ ନିଶାସକ୍ତ ଅବସ୍ଥାରେ ଆସିଥିଲେ। ରାତି ଅଧିକ ହୋଇଯାଇଥିବାରୁ ସେ ନିଜ ଘରକୁ ଫେରିପାରିବେ ନାହିଁ ବୋଲି କହି ଡମ୍ବୁରୁଙ୍କ ଘରେ ଆଶ୍ରୟ ମାଗିଥିଲେ। ବନ୍ଧୁ ଉପରେ ବିଶ୍ୱାସ କରି ଡମ୍ବୁରୁ ତାଙ୍କୁ ନିଜ ଘରେ ଶୋଇବାକୁ ସ୍ଥାନ ଦେଇଥିଲେ। ମାତ୍ର ରାତିରେ ଡମ୍ବୁରୁ ଏବଂ ତାଙ୍କ ସ୍ତ୍ରୀ ଚୁବେ ହୋ ଶୋଇଯିବା ପରେ ଗଣ୍ଡ ଏକ ଧାରୁଆ ଛୁରିରେ ଶୋଇଥିବା ଅବସ୍ଥାରେ ଡମ୍ବୁରୁଙ୍କ କାନମୂଳକୁ ଆକ୍ରମଣ କରି ରକ୍ତାକ୍ତ କରି ପକାଇଥିଲେ। ଡମ୍ବୁରୁଙ୍କ ଚିକତ୍ାର ଶୁଣି ତାଙ୍କ ସ୍ତ୍ରୀ ନିଦରୁ ଉଠି ଧାଇଁ ଆସିବା ବେଳକୁ ଅଭିଯୁକ୍ତ ତାଙ୍କୁ ଧକ୍କା ମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଡମ୍ବୁରୁଙ୍କୁ ଉଦଳା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଔପଦା ଥାନା ଆଇଆଇସି ପ୍ରମୋଦ କୁମାର ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ଛାନ୍ଭିନ୍ ଆରମ୍ଭ କରିଥିଲେ। ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ. ୫୨/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ଗଣ୍ଡଙ୍କ ତାଙ୍କୁ ନିଜ ଗ୍ରାମ ବ୍ରାହ୍ମଣିପାଳରୁ ଗିରଫ କରିଛି।
Dharitri – Odisha’s No.1 Odia Daily

