ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର/କୋରାପୁଟ,୩୧ା୧୦(ବ୍ୟୁରୋ/ନି.ପ୍ର.):କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ସୋମବାର ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ। ଅହମ୍ମଦାବାଦସ୍ଥିତ ଇଣ୍ଡିଆନ ଏୟାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରୁ ଓଡ଼ିଶାର କୋରାପୁଟ ଜିଲାର ଜୟପୁର ବିମାନବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ପ୍ରାୟ ୧୦ଟା ୩୦ମିନିଟ୍‌ରେ ଏହି ସେବା ଉଦ୍‌ଘାଟନ କରିବେ। ଏହି ବିମାନଟି ଭୁବନେଶ୍ୱରରୁ ସକାଳ ୧୧.୩୫ରେ ପ୍ରସ୍ଥାନ କରିବ ଏବଂ ଜୟପୁରରେ ଅପରାହ୍ନ ୧.୨୦ରେ ଅବତରଣ କରିବ। ସେହିଭଳି ବିମାନଟି ଜୟପୁରରୁ ଅପରାହ୍ନ ୪.୫ରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରରେ ୫.୫୦ରେ ପହଞ୍ଚିବ।

୯ ଜଣ ଯାତ୍ରୀଙ୍କୁ ନେଇ ପ୍ରତିଦିନ କେବଳ ଗୋଟିଏ ବିମାନ ଉଡ଼ିବ। ପ୍ରତ୍ୟେକ ଯାତ୍ରୀଙ୍କ ଟିକେଟ ଭଡ଼ା ୨୫୦୦ଟଙ୍କା ହେବ ବୋଲି ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଏୟାରଲାଇନ୍ସ ଶୁକ୍ରବାର ରାତିରେ ଏହାର ଅଫିସିଆଲ ଟୁଇଟରରେ ଆକାଉଣ୍ଟରେ ଏହି ଘୋଷଣା କରିଥିଲା। ନଭେମ୍ବର ୯ ପର୍ଯ୍ୟନ୍ତ ୯୯୯ ଟଙ୍କା ମୂଲ୍ୟର ପ୍ରାରମ୍ଭିକ ଅଫର ସହିତ ସମସ୍ତ ଟିକେଟ ବିକ୍ରି ହୋଇଥିବାର ଉଲ୍ଲେଖ କରିଛି। ନଭେମ୍ବର ୯ ପର୍ଯ୍ୟନ୍ତ ବୁକିଂ ଖୋଲା ରହିବ। ଘୋଷଣାର କିଛି ଘଣ୍ଟା ମଧ୍ୟରେ ବିମାନର ସମସ୍ତ ସିଟ୍‌ ବିକ୍ରି ହୋଇଯାଇଥିଲା।

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଓଡ଼ିଶାର ଏହା ହେଉଛି ପ୍ରଥମ ବିମାନବନ୍ଦର ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେବ।