Categories: ଜାତୀୟ

ତଦନ୍ତ ପାଇଁ କମିଶନ ଗଠିତ

ଲକ୍ଷ୍ନୌ,୧୩।୭: ଏନ୍‌କାଉଣ୍ଟରରେ ପୋଲିସ ଗୁଳିର ଶିକାର ହୋଇ ପ୍ରାଣ ହରାଇଥିବା ଉତ୍ତରପ୍ରଦେଶ କାନପୁରର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେ ଘଟଣାର ତଦନ୍ତ କରାଯିବ। ଜଣିକିଆ କମିଶନ ଏହାର ତଦନ୍ତ କରିବେ। ଦୁର୍ଘଟଣା ପରେ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗତ ସପ୍ତାହରେ ଦୁବେଙ୍କୁ ଗୁଳିମାଡ଼ କରାଯାଇଥିଲା। ଜଣେ ଅବସରପ୍ରାନ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ଏହାର ତଦନ୍ତ କରିବା ସହ ୨ ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବେ ବୋଲି ଉତ୍ତରପ୍ରଦେଶ ସରକାର ରବିବାର କହିଛନ୍ତି। ଗତ ଶନିବାର ସରକାର ଦୁବେଙ୍କ କଳଙ୍କିତ ଅଧ୍ୟାୟର ଅନୁଧ୍ୟାନ କରିବା ଲାଗି ଏସ୍‌ଆଇଟି ଗଠନ କରିଥିଲେ। ଏଥିରେ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଓ ୨ ପୋଲିସଙ୍କୁ ସାମିଲ କରାଯାଇଥିବାବେଳେ ରିପୋର୍ଟ ଜୁଲାଇ ୩୧ ସୁଦ୍ଧା ଦେବା ଲାଗି କୁହାଯାଇଛି।
ଦୁବେଙ୍କୁ ଗିରଫ କରାଯାଇ ଗାଡ଼ିରେ ଅଣାଯିବା ସମୟରେ ହାତକଡ଼ି ପକାଯାଇ ନ ଥିଲା କାହିଁକି ବୋଲି ପ୍ରଶ୍ନ ଉଠିଛି। ଅପରପକ୍ଷରେ ଦୁବେଙ୍କ ସହ ବହୁ ପୋଲିସ ଓ ରାଜନେତାଙ୍କ ସମ୍ପର୍କ ରହିଛି। କେତେକ ପୋଲିସଙ୍କୁ ଗିରଫ କରାଯାଇଥିବାବେଳେ ଜେରା ଚାଲିଛି। ୪ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୩୦ ଜଣ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ପ୍ରକାଶଥାଉ କି, ଦୁବେଙ୍କ ବିରୋଧରେ ୨୦ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା, ୧୯ ଦଙ୍ଗା ମାମଲା ସହ ୬୦ ମାମଲା ରହିଛି। ଗୁରୁବାର ସକାଳେ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ତାଙ୍କୁ ଗିରଫ କରି ଅଣାଯାଉଥିଲା।

Share