ଦୁଇ ନାବାଳିକା ଭଉଣୀଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୩ା୪: ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ଗଣେଶ୍ୱର ପତି ଗୁରୁବାର ଦଳିତ ବର୍ଗର ଦୁଇଜଣ ନାବାଳିକା ଭଉଣୀଙ୍କୁ ବଳାତ୍କାର କରିବା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆବଶ୍ୟକ ପ୍ରମାଣକୁ ଭିତ୍ତି କରି ଗୋଳନ୍ଥରା ଥାନା ଗୋବିନ୍ଦବିହାରର ଅଭିଯୁକ୍ତ ବୁଡୁ ମଲାଣ(୩୨)କୁ ସେ ଆଜୀବନ ଦଣ୍ଡାଦେଶର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହା ସହିତ ଉଭୟ ପୀଡ଼ିତାଙ୍କୁ ୪ଲକ୍ଷ ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବାକୁ କୋର୍ଟ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ୨୦୧୫ ଏପ୍ରିଲ ୨ରେ ଦୁଇଜଣ ନାବାଳିକା ଭଉଣୀ ପ୍ରାତଃ ଭ୍ରମଣ ସାରି ଘରକୁ ସାଇକେଲରେ ଫେରୁଥିଲେ। ଏହି ସମୟରେ ଟ୍ରାକ୍ଟର୍‌ ଡ୍ରାଇଭର୍‌ ବୁଡୁ ଉଭୟଙ୍କୁ ଧକ୍କା ଦେଇଥିଲେ। ଧକ୍କା ଖାଇ ଉଭୟ ଭଉଣୀ ତଳେ ପଡ଼ିଯିବା ପରେ ଗୋବିନ୍ଦବିହାର ରେଳ ଲାଇନ ନିକଟରେ ବୁଡୁ ପ୍ରଥମେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହା ଦେଖି ଅନ୍ୟ ସମ୍ପର୍କୀୟ ଭଉଣୀ ଜଣଙ୍କ ଏହାର ପ୍ରତିବାଦ କରି ବୁଡୁ ଉପରକୁ ପଥର ଫିଙ୍ଗିଥିଲେ। ବୁଡୁ ଉତ୍ତ୍ୟକ୍ତ ହୋଇ ଉକ୍ତ ନାବାଳିକାଙ୍କୁ ମଧ୍ୟ ବଳାତ୍କାର କରିଥିଲେ। ଘଟଣା ପରେ ଅଭିଯୁକ୍ତ ବୁଡୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଦୁଇଭଉଣୀ ଅଚେତ ଅବସ୍ଥାରେ ସେଠାରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଅଙ୍ଗନଓ୍ବାଡି କର୍ମୀ ଉଭୟଙ୍କୁ ଉଦ୍ଧାର କରି ତାଙ୍କର ଘରେ ଛାଡ଼ି ପୀଡ଼ିତାଙ୍କ ପରିବାର ଲୋକ ଏନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ୩୧/୧୫ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୋଲିସ ବୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଘଟଣା ପରଠାରୁ ଏଯାବତ୍‌ ବ୍ରହ୍ମପୁର ମଣ୍ଡଳକାରାଗାର (ଜେଲ)ରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ତତ୍କାଳୀନ ସଦର ଏସ୍‌ଡିପିଓ ହରିହର ପାଣି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲେ। ଏହି ମାମଲାର ବିଚାର ବେଳେ ୨୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଗୁରୁବାର ଶୁଣାଣି ବେଳେ ଅଭିଯୁକ୍ତ ବୁଡୁଣଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଆବଶ୍ୟକ ପ୍ରମାଣ ଥିବାରୁ କୋର୍ଟ ଅଭିଯୁକ୍ତ ବୁଡୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ଓ ମୁଦାଲାଙ୍କ ତରଫରୁ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ମୋକଦ୍ଦମା ପରିଚାଳନା କରିଥିଲେ।