ଲିଭୁନି ନିଆଁ, ବର୍ଷା ଭରସା

ବାରିପଦା ଅଫିସ,୧୨।୩:  ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଜଳୁଛି। ନିଅଁା ଓ ଧୂଅଁାରେ ପରିବେଶ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଅଭୟାରଣ୍ୟକୁ ଧ୍ୱଂସ କରିବା ପାଇଁ ଯୋଜନାକାରୀଙ୍କ ବିରୋଧରେ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଶନିବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ ଚିତ୍ର ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ୪୪ଟି ପଏଣ୍ଟରେ ନିଅଁା ଜଳୁଛି। ସନ୍ଧ୍ୟା ସୁଦ୍ଧା ୪୧ଟି ସ୍ଥାନରେ ନିଅଁାକୁ ଆୟତ୍ତ କରାଯାଇଥିବା ବେଳେ ଅବଶିଷ୍ଟ ସ୍ଥାନରେ ବନ କର୍ମଚାରୀମାନେ ଲାଗି ପଡ଼ିଛନ୍ତି। ତେବେ ଦୁଇଦିନ ଧରି ମେଘୁଆ ପାଗ ରହିଥିବା ବେଳେ ଶିମିଳିପାଳ ବନାଗ୍ନିକୁ ରୋକିବାରେ ବର୍ଷା ହିଁ ଭରସା ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ଶିମିଳିପାଳରେ ନିଅଁା ଲିଭୁନି। ଗୋଟିଏ ପଟେ ବନ କର୍ମଚାରୀ ଯେତିକି ଲିଭାଉଛନ୍ତି ଅନ୍ୟପଟେ ସେତିକି ମାଡ଼ି ଚାଲିଛି। ନିଅଁାକୁ ଆୟତ୍ତ କରିବା ପାଇଁ ବନ ବିଭାଗ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି। ମାତ୍ର ବର୍ଷା ଅଭାବରୁ ଅଭୟାରଣ୍ୟକୁ ସୁରକ୍ଷା ଦେବା କଷ୍ଟକର ହୋଇପଡ଼ିଛି। ଫଳରେ ବନ୍ୟଜନ୍ତୁମାନେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ନିଅଁା ପ୍ରକୋପରେ ଜୀବଜନ୍ତୁ ଭୋକ ଶୋଷରେ ଏପଟସେପଟ ହେଉଛନ୍ତି। ଏଭଳି ପରିସ୍ଥିତିକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ବନାଗ୍ନି ରୋକିବା ପାଇଁ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି। ତେବେ ଦୁଇଦିନ ପୂର୍ବେ ମାତ୍ର ୨ ମି.ମି. ବର୍ଷା ହୋଇଥିବା ବେଳେ ତାହା ବନାଗ୍ନି ରୋକିବାରେ ସହାୟକ ହୋଇପାରି ନାହିଁ। ୨୦୨୧ରେ ଘଟିଥିବା ବନାଗ୍ନିର ଭୟାବହତାଠାରୁ ଚଳିତବର୍ଷ କମ୍‌ ଥିବା ବିଭାଗ ପକ୍ଷରୁ ଜଣାଯାଇଛି।
ଅନୁଯାୟୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବାରିପଦା ସର୍କଲ ଅଧୀନ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡର ୩୭ଟି, ଉତ୍ତର ଓ ଦକ୍ଷିଣ ଡିଭିଜନର ୭ଟି ସ୍ଥାନରେ ନିଅଁା ଲାଗିଥିଲା। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ନିଅଁାକୁ ଆୟତ୍ତ କରାଯାଇଥିବା ବେଳେ ବାରିପଦା ଓ କରଞ୍ଜିଆ ଡିଭିଜନରେ ୩୩ଟି ସ୍ଥାନରେ ନିଅଁାକୁ ଆୟତ୍ତ କରାଯାଇଛି ବୋଲି କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗନେନି ଜଣାଇଛନ୍ତି। ତେବେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯିବାକୁ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଦାବି କରିଛନ୍ତି।