ଦିଗପହଣ୍ଡି,୫।୫(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ବିବାଦ କୁହୁଳିବାରେ ଲାଗିଛି। ପୋଲିସ ପ୍ରଶାସନ ଏବେଠାରୁ ଦୃଷ୍ଟି ନ ଦେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଗ୍ରାମରେ ମା’ ଭଗବତୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଗତ ଶୁକ୍ରବାର ଗ୍ରାମ ଦଳିତ ସାହିର କିଛି ଅସବର୍ଣ୍ଣ ମହିଳା ପ୍ରସାଦ ସେବନ ପାଇଁ ବସିଥିବା ବେଳେ ସବର୍ଣ୍ଣ ଜାତିର କିଛି ବ୍ୟକ୍ତି ସେଠାରେ ପହଞ୍ଚି ସେମାନଙ୍କୁ ଜାତିଆଣ ଆକ୍ଷେପ କରି ବଢ଼ା ଯାଇଥିବା ଖଲିପତ୍ର ଜବରଦସ୍ତ ଛଡାଇ ନେଇଥିଲେ। ଗାଁ ଦାଣ୍ଡରେ ସେମାନଙ୍କୁ ଲଜ୍ଜିତ କରାଯିବା ପରେ ମହିଳା ମାନେ ସେଠାରୁ କାନ୍ଦି କାନ୍ଦି ଘରକୁ ଫେରି ସାହି ମୁଖିଆ ମାନଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏନେଇ ଦଳିତ ସାହିରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଦଳିତ ସାହିର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବାପରେ ସେମାନେ ଫେରିଥିଲେ। ଘଟଣାର ଦୁଇ ଦିନ ପରେ ପୋଲିସ ଟିମ ଗ୍ରାମରେ ପହଞ୍ଚି ଉଭୟ ସମ୍ପ୍ରଦାୟର ମୁଖିଆ ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇପାରି ନ ଥିଲା। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଦଳିତ ସାହିରେ ସଭା ଡକାଯାଇଥିଲା। ବିବାଦର ସମାଧାନ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସାହି ବାସିନ୍ଦାଙ୍କ ପକ୍ଷରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରବିବାର ଦଳିତ ସାହିର ମୁଖିଆମାନେ ଦିଗପହଣ୍ଡି ଥାନାରେ ପହଞ୍ଚି ଘଟଣାର ପ୍ରତିବାଦ କରିଥିଲେ। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସବର୍ଣ୍ଣ ଗୋଷ୍ଠୀର ମୁଖିଆ ମାନଙ୍କୁ ଥାନାକୁ ଡ଼କାଇଥିଲେ ମଧ୍ୟ କେହି ନ ଆସିବାରୁ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୧୫୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଘଟଣାର ତଦନ୍ତ ଚଳାଇଛନ୍ତି।
ଗତ କିଛିଦିନ ହେଲା ଦଳିତ ସାହିର କିଛି ଯୁବକ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସବର୍ଣ୍ଣ ସମ୍ପ୍ରଦାୟର ମୁଖିଆମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଉତ୍ପାତରେ ସବର୍ଣ୍ଣ ଲୋକେ ଗ୍ରାମରେ ଅତିଷ୍ଠ ହେଲେଣି ବୋଲି ଗ୍ରାମର ମୁଖିଆମାନେ ପୋଲିସକୁ କହିଛନ୍ତି। ଅପରପକ୍ଷରେ ଗ୍ରାମର ସବର୍ଣ୍ଣ ଗୋଷ୍ଠୀର କିଛି ବ୍ୟକ୍ତି ସେମାନଙ୍କୁ ପରୋକ୍ଷରେ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଇ ଆସୁଥିବା ଅସବର୍ଣ୍ଣ ଗୋଷ୍ଠୀର ମୁଖିଆ ମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।


