ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ ସଡୁ ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ଘର ସମ୍ମୁଖରେ ଥିବା ଏକ ବ୍ୟାଟେରୀ ଚାଳିତ ସ୍କୁଟି ପୋଡ଼ି ପାଉଁଶ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ କୌଣସି ଶବ୍ଦ ଶୁଣି ସୁବାସ ଘର ବାହାରକୁ ଆସି ଦେଖିବାବେଳେ ତାଙ୍କର ୧୫ ଦିନ ତଳେ କିଣିଥିବା ବ୍ୟାଟେରୀ ଚାଳିତ ସ୍କୁଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖିଥିଲେ। ଏହା ସହିତ ସେହି ନିକଟରେ ଥିବା ଫ୍ରିଜ, ୱାଶିଂ ମେଶିନ, ପ୍ଲାଷ୍ଟିକ ଚେୟାର ସମେତ ଅନ୍ୟ କିଛି ସାମଗ୍ରୀ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ସ୍କୁଟି ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇଯାଇଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଅସ୍ପଷ୍ଟ ଅଛି। କାରଣ ସୁବାଷଙ୍କ କହିବାନୁସାରେ ସେ ରାତିରେ ଶୋଇବାକୁ ଯିବା ବେଳେ ସବୁ ଠିକ ଥିଲା ଏବଂ ବ୍ୟାଟେରୀ ସ୍କୁଟି ମଧ୍ୟ ଚାର୍ଜରେ ବସିଥିଲା।

