୫ ବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ, ଉତ୍ତ୍ୟେକ୍ତ ଜନତାଙ୍କ ରାସ୍ତାରୋକୋ

ପୁରୁଷୋତ୍ତମପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀଠାରେ ଗଙ୍ଗାଧର ପାଣିଗ୍ରାହୀଙ୍କ ଶିଶୁପୁତ୍ର ଗୋପାଳ ପାଣିଗ୍ରାହୀ(୫ବର୍ଷ)ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଚାପି ତାଙ୍କୁ ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତ୍ୟେକ୍ତ ଲୋକେ ପୁରୁଷୋତ୍ତମପୁର-ହୁମ୍ମା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ନୀତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଏସ୍‌ଡିପିଓ ସୀମା ସ୍ବାଇଁ, ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ମାତ୍ର ମୃତ ଶିଶୁଙ୍କ ପରିବାର ଗରିବ ଶ୍ରେଣୀର ହୋଇ ଥିବାରୁ ତୁରନ୍ତ କ୍ଷତିପୂରଣ ସହାୟତା ଯୋଗାଇ ଦେବା ପାଇଁ ଦାବି କରି ଲୋକେ ରାସ୍ତା ଉପରେ ଧାରଣାରେ ବସିଛନ୍ତି। ପୋଲିସ ଟ୍ରକଟିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖିଛି।