Categories: ବାଣିଜ୍ୟ

ମୋଟା କାରବାରରେ ୨୦ ଅଙ୍କ ନମ୍ବର ବ୍ୟବହାର ହେବ

ନୂଆଦିଲ୍ଲୀ,୧୧।୧: ସରକାରୀ ଓ ବେସରକାରୀ ଭାବରେ କାରବାର ହେଉଥିବା ମୋଟା ଅଙ୍କର ଅର୍ଥ ରାଶି ପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ। ଫଳରେ ପ୍ରତି କାରବାର ବିଶେଷ କରି ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କାରବାର କରୁଥିବା ସଂସ୍ଥାଗୁଡ଼ିକୁ ଏକ ସୁରକ୍ଷିତ ବ୍ୟବସ୍ଥା ପ୍ରଦାନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରୀୟ ପେମେଣ୍ଟ୍‌ ବ୍ୟବସ୍ଥାରେ ଲିଗାଲ୍‌ ଏଣ୍ଟିଟି ଆଇଡେଣ୍ଟିଫାୟର୍‌ (ଏଲ୍‌ଇଆଇ) ବ୍ୟବହାର ଆରମ୍ଭ କରାଯାଇଛି। ଏହି ନୂଆ ପଦ୍ଧତି ଜରିଆରେ କାରବାର କରାଗଲେ ସବୁ ପ୍ରକାରର ସୁରକ୍ଷା ଉପଭୋକ୍ତଙ୍କୁ ମିଳିପାରିବ। ଏହା ହେଉଛି ଏକ ୨୦ ଅଙ୍କ ବିଶିଷ୍ଟ ନମ୍ବର, ଯାହା ଜରିଆରେ ବିଶ୍ବସ୍ତରରେ ଆର୍ଥିକ କାରବାର ମଧ୍ୟ ସହଜ ହୋଇପାରିବ। ଏଭଳି ମୋଟା ଅର୍ଥ ରାଶି କାରବାରରେ ରହୁଥିବା ବିପଦର ମାତ୍ରା ହ୍ରାସ ପାଇବ। ସେହିଭଳି ମୋଟା ଅଙ୍କର ଋଣ କରୁଥିବା କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ଯେଉଁମାନେ ମୋଟା ଅଙ୍କର କାରବାର କରୁଛନ୍ତି ସେମାନଙ୍କୁ ତତ୍‌କ୍ଷଣାତ ଏଲ୍‌ଇଆଇ ନମ୍ବର ନେବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଏହାକୁ ମଧ୍ୟ ଲିଗାଲ ଏଣ୍ଟିଟି ଆଇଡେଣ୍ଟିଫାୟର ଇଣ୍ଡିଆ ଲିମିଟେଡ୍‌ଠାରୁ ସଂଗ୍ରହ କରାଯାଇପାରିବ। ଆର୍ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ଏହି ନମ୍ବର ହାସଲ କରିପାରିବେ।

Share