ନୀଳଗିରିକୁ ଜିଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ନୀଳଗିରି,୩।୧୦(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରିକୁ ଜିଲା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରାରେ ଦୋକାନ ବଜାର ବନ୍ଦ ଓ ଗାଡି ମଟର ଚଳାଚଳ ଠପ ରହିଛି। ନୀଳଗିରିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ ବିଭିନ୍ନ ସମୟରେ ସରକାରଙ୍କଠାରେ ଦାବି ହୋଇଆସୁଛି। ସେପ୍ଟେମ୍ବର ୧୬ତାରିଖରେ ଏନେଇ ଏକ ବିଶାଳ ଜନସମାବେଶରେ ନୀଳଗିରିକୁ ତୁରନ୍ତ ସରକାର ଜିଲା ଘୋଷଣା କରନ୍ତୁ ବୋଲି ଦୃଢ଼ ଦାବି ମଧ୍ୟ ହୋଇଥିଲା। ନୀଳଗିରି ଉପଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖା ଯାଉଥିଲେ ହେଁ ସରକାରଙ୍କ ପକ୍ଷରୁ କୌଣସି ସକରାତ୍ମକ ପରିଣାମ ମିଳିପାରି ନାହିଁ। ସ୍ବାଧୀନ ଭାରତରେ ରାଜତନ୍ତ୍ରର ବିଲୋପ କରି ପ୍ରଥମ ଗଡଜାତ ରାଜ୍ୟ ଭାବେ ସାଧୀନ ଭାରତରେ ମିଶ୍ରଣ ସମୟରେ ନୀଳଗିରିକୁ ସ୍ବତନ୍ତ୍ର ଅଧିକାର ମିଳିବ ବୋଲି ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ନୀଳଗିରିକୁ ବିଶେଷ ଅଧିକାର ସ୍ବରୂପ ଜିଲା ମାନ୍ୟତା ହକଦାର ବୋଲି ନୀଳଗିରି ଜିଲା କ୍ରିୟାନୁଷ୍ଠାନ କମିଟିର ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଦୃଢ଼ ମତବ୍ୟକ୍ତ କରିଛନ୍ତି। ନୀଳଗିରିର ହକ ପାଇଁ ଜିଲା କ୍ରିୟାନୁଷ୍ଠାନ କମିଟିର ଆବାହନରେ ମଙ୍ଗଳବାର ସକାଳ ୬ ଘଟିକାରୁ ଶାନ୍ତିପୂର୍ଣ୍ଣ ଭାବେ ୧୨ ଘଣ୍ଟିଆ ବନ୍ଦ ଚାଲିଛି। ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ୧୯ନଂ ରାଜ୍ୟ ରାଜପଥ ନୀଳଗିରି ବାଇପାସ ଛକଠାରେ ରାସ୍ତା ଉପରେ ବହୁ ଯାନବାହନ ଅଟକିଛି।