ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରାକୁ ବୁଝାଇଥାଏ। ଭବାନୀପାଟଣା ସହରରେ ମା’ ମାଣିକେଶ୍ୱରୀଙ୍କ ପୀଠ ଅବସ୍ଥିତ। ଏଠାରେ ବୈଦିକ ରୀତିରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସମେତ ଆଦିବାସୀ ସଂସ୍କୃତିର ମିଶ୍ରଣରେ ବିଶେଷ ପୂଜାର୍ଚ୍ଚନାର ଏକ ନିଆରା ପରମ୍ପରା ବେଶ୍‌ ପ୍ରାଚୀନ। ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ବ୍ୟାପୀ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ମହାନବମୀ ତିଥିରେ ଅନୁଷ୍ଠିତ ହୋଇଥାଏ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା। ଆଦିବାସୀ ବହୁଳ ଏହି ଅଞ୍ଚଳର ଆଦିବାସୀମାନେ କାଠର ଖମ୍ବ, ପ୍ରସ୍ତର ଖଣ୍ଡକୁ ମାଟିରେ ପୋତି ଧରଣୀପେନୁ, ମାଇଲି, ଡୋକରୀ, ଖମ୍ବେଶ୍ୱରୀ ନାମରେ ପୂଜା କରିଆସୁଛନ୍ତି। ବୁଢ଼ାରଜା, କଳାପାହାଡ଼, ଭୈରବ, ବାଲିଭୈରବ, ଅଗ୍ନି ଆଦି ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

ମାଣିକେଶ୍ୱରୀଙ୍କ ଆରାଧନା
ଦଶମହାବିଦ୍ୟାର ପ୍ରଥମ ମହାବିଦ୍ୟା ମହାକାଳୀ ରୂପେ କ୍ରିଂ ବୀଜମନ୍ତ୍ରରେ ମାଣିକେଶ୍ୱରୀଙ୍କ ଆରାଧନା ବିଧି ସହ ତନ୍ତ୍ରୋକ ପଞ୍ଚମକାର ପୂଜାବିଧି ପ୍ରଚଳିତ। ତେବେ ଆଦିବାସୀ ସଂସ୍କୃତି, ପରମ୍ପରା ଓ କୁଳାଚାର ସହ ବୈଦିକ ସଂସ୍କୃତିରେ ପରିପୁଷ୍ଟ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନନ୍ୟ ଓ ସ୍ବତନ୍ତ୍ର। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ତିଥିରେ ଦେବୀଙ୍କ ମୁଣ୍ଡବସା ପୂର୍ବରୁ ଦଶହରା ଯାତ୍ରା ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ଧରି ତନ୍ତ୍ରବିଧି ଅନୁସାରେ ଷୋଡ଼ଶ ଉପଚାର ଓ ତ୍ରିକାଳ ଚଣ୍ଡୀପାଠ ହୋଇଥାଏ। ପରେ ମହାନବମୀ ତିଥିର ପ୍ରତ୍ୟୁଷରୁ ପ୍ରସିଦ୍ଧ ଛତରଯାତ୍ରା ଓ ବିଜୟା ଦଶମୀ ତିଥିରେ ଲାଖମରା ପର୍ବ ବା ବାହୁଡ଼ା ଛତର ଯାତ୍ରା ସହ ଉଦ୍‌ଯାପିତ ହୋଇଥାଏ।

ମୂଳାଷ୍ଟମୀ ତିିଥିରେ ମା’ଙ୍କ ମୁଣ୍ଡବସା ପର୍ବ
ପ୍ରତିବର୍ଷ ଆଶ୍ୱିନ ମୂଳାଷ୍ଟମୀ ତିଥିରେ ମାଣିକେଶ୍ୱରୀଙ୍କ ମାଟି ନିର୍ମିତ ନୂତନ ମୁଣ୍ଡନ ସ୍ଥାପନ ପୂର୍ବକ ନବକଳେବର ଅନୁଷ୍ଠିତ ହୋଇଥାଏ। ବଂଶ ପରମ୍ପରା କ୍ରମେ ଜମି ପାଇ କୁମ୍ଭାର କଞ୍ଚାମାଟିରେ ନିର୍ମିତ ମାଟି ମୁଣ୍ଡରେ ସୁନା ଓ ରୁପାର ଆଖି, ନାକ, ଜିଭ ଆଦି ସହ ମୋତି, ମାଣିକ୍ୟ ବୈଦୁର୍ଯ୍ୟ ଆଦି ରତ୍ନରେ ନିର୍ମିତ ଅଳଙ୍କାର ପିନ୍ଧାଇଥାନ୍ତି ବିନ୍ଧାନୀରତ୍ନ। ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ପରେ ମୂଳାଷ୍ଟମୀ ମଧ୍ୟରାତ୍ରିରେ ତନ୍ତ୍ରବିଧି ଅନୁସାରେ ଅଭିଷିକ୍ତ ବ୍ରାହ୍ମଣଙ୍କ ଦ୍ୱାରା ମାଣିକେଶ୍ୱରୀଙ୍କ ବିଗ୍ରହ ଉପରେ ମାଟିମୁଣ୍ଡକୁ ସ୍ଥାପନ କରାଯାଏ। ମୂଳାଷ୍ଟମୀରୁ ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନବ୍ୟାପୀ ଗୁପ୍ତ ରାତିରେ ତନ୍ତ୍ରମନ୍ତ୍ରରେ ତ୍ରିକାଳ ପୂଜାବିଧି ଶାକ୍ତାଭିଷିକ୍ତ ବ୍ରାହ୍ମଣମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ।

ମା’ ମାଣିକେଶ୍ୱରୀଙ୍କ ମହାଷ୍ଟମୀ
ମହାଷ୍ଟମୀ ମଧ୍ୟରାତ୍ରିରେ ମାଣିକେଶ୍ୱରୀଙ୍କ ପୀଠରେ ଛାଗଳ, ବନ୍ୟପଶୁ ଆଦି ଅଷ୍ଟବଳି ଦିଆଯାଏ। ମନ୍ଦିର ବେଢ଼ା ପାଖରେ ମହାପଶୁ ବଳି ଦିଆଯିବା ପରେ ମା’ଙ୍କର ବିଜୟ ପ୍ରତିମା ଛତର ମନ୍ଦିରଠାରୁ ପ୍ରାୟ ୩ କି.ମି. ଦୂରରେ ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ପାଶୀ ପାହାଡ ପାଦଦେଶରେ ଥିବା ଜେନାଖାଲକୁ ନିଆଯାଇଥାଏ। ପ୍ରତ୍ୟୁଷରୁ ଜେନାଖାଲରେ ସମ୍ପୂର୍ଣ୍ଣ ଗୁପ୍ତ ବିଧିରେ ବଳି ଦେଇ ପୂଜାର୍ଚ୍ଚନା କରି ପୂଜକ, ବାହୁକ, ମୁଣ୍ଡଛିନାମାନେ ମା’ଙ୍କର ଛତର ବା ଛତ୍ର ଧରି ମନ୍ଦିର ପର୍ଯ୍ୟନ୍ତ ଆସିଥାନ୍ତି। ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ମନ୍ଦିର ସିଂହଦ୍ୱାରଠାରୁ ମା’ଙ୍କର ଛତରକୁ ସ୍ବାଗତକରି ନିଜେ ବୋହି ମନ୍ଦିର ଭିତରକୁ ନେଇଥାନ୍ତି।

ପୌରାଣିକ ବିଶ୍ୱାସ
ପୌରାଣିକ ବିଶ୍ୱାସ ଅନୁସାରେ ଦେବୀ ଦୁର୍ଗାଙ୍କ ମହିଷାସୁର ନିଧନର ପ୍ରତୀକ ସ୍ବରୂପ ମାଣିକେଶ୍ୱରୀଙ୍କ ପୀଠରେ ମହାଷ୍ଟମୀରେ ମଧ୍ୟରାତ୍ରିରେ ପୋଢ଼ ବା ମହିଷ ବଳି ଦିଆଯାଇଥାଏ। ସେହିପରି ମହିଷାସୁର ନିଧନ ପରେ ତା’ର ସହଚର ଜେନାବଳି ଦୈତ୍ୟକୁ ଦେବୀ ଦୁର୍ଗା ନିଧନ କରିବା ଭଳି ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତର(ଛତ୍ର)କୁ ଜେନାଖାଲ ନିଆଯାଇଥାଏ। ଜୈନାବଳୀ ଦୈତ୍ୟର ନିଧନର ପ୍ରତୀକ ସ୍ବରୂପ ଛାଗଳକୁ ଜେନାଖାଲରେ ପୋତି ଦିଆଯାଇଥାଏ। ମହିଷାସୁର ଓ ଜେନାବଳି ଦୈତ୍ୟର ନିଧନରେ ସ୍ବର୍ଗର ଦେବତା ଓ ମର୍ତ୍ତ୍ୟର ମଣିଷମାନେ ଆଶ୍ୱସ୍ତି ଲାଭକରି ଦେବୀ ଦୁର୍ଗାଙ୍କ ସ୍ତୁତି ଓ ପୂଜାର୍ଚ୍ଚନା କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସଦୃଶ ଭବାନୀପାଟଣାରେ ମାଣିକେଶ୍ୱରୀ ବିଜୟ ପ୍ରତିମା ଛତର (ଛତ୍ର)ଜେନାଖାଲ ଠାରେ ଜେନାବଳି ପୂଜା ଖାଇ ପୃଥିବୀ ବକ୍ଷରୁ ଆସୁରିକ ଓ ଦୁଷ୍ଟ ଶକ୍ତିର ବିଲୋପ କରିବାର ପ୍ରତୀକ ଭାବେ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପାଳିତ ହୋଇଥାଏ ମା’ଙ୍କର ଛତର ଯାତ୍ରା। ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ୩ କି.ମି. ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ମା’ଙ୍କର ବିଜୟ ପ୍ରତିମା ଛତରକୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣକରିଥାନ୍ତି। ଶ୍ରଦ୍ଧାଳୁ ନିଜର ସୁଖ ଓ ସମୃଦ୍ଧି କାମନା କରି ହଜାର ହଜାର ଛାଗଳ ବଳିଦେଇ ଛତରକୁ ସ୍ବାଗତ କରିଥାଆନ୍ତି। ଏହା ବ୍ୟତୀତ ବିଶ୍ୱଶାନ୍ତି, ମୈତ୍ରୀ ଓ ଭ୍ରାତୃଭାବର ପ୍ରତୀକ ଶାନ୍ତିର କପୋତ (ପାରା) ମା’ଙ୍କର ଛତର ଉପରକୁ ଉଡ଼ାଇଥାନ୍ତି।

ଲାଖମରା ପରେ ବାହୁଡ଼ା ଛତର ଯାତ୍ରା

ବିଜୟା ଦଶମୀ ତିଥିରେ ପୁଣି ଥରେ ମା’ଙ୍କର ଛତରକୁ ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠ ନକଟିଗୁଡ଼ାରେ ଥିବା ଲାଖମରା ପଡ଼ିଆକୁ ନିଆଯାଇଥାଏ। ସେଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ଲାଖବନ୍ଧା ପର୍ବ ହୋଇଥାଏ। ପୂଜାମଣ୍ଡପ ନିକଟରେ ଥିବା ଆମ୍ବଗଛ ଉପରେ ଏକ ଛୋଟ ମାଟିଘଡ଼ିରେ ନିର୍ମିତ ଲାଖ ବନ୍ଧାଯାଇଥାଏ। ବନ୍ଧୁକ ଦ୍ୱାରା ଲାଖ ବିନ୍ଧିବା ପ୍ରତିଯୋଗିତାରେ ବହୁ ଯୁବକ ଭାଗ ନେଇଥାନ୍ତି। ଲାଖ ବିନ୍ଧିବା ସଫଳ ହୋଇଥିବା ବ୍ୟକ୍ତିଙ୍କୁ ରାଜ ପରିବାର ପକ୍ଷରୁ ସମ୍ମାନିତ କରାଯାଇଥାଏ। ଲାଖମରା ପର୍ବ ସରିବା ପରେ ମା’ଙ୍କର ଛତରକୁ ଘୁମୁରା ବାଦ୍ୟ, ବୀର କାହାଳୀ, ନିଶାଣ ବାଦ୍ୟର ତାଳେ ତାଳେ ମନ୍ଦିରକୁ ଅଣାଯାଇଥାଏ, ଯାହାକୁ ବାହୁଡ଼ା ଛତରଯାତ୍ରା କୁହାଯାଏ। ମୂଳାଷ୍ଟମୀ ତିଥିରୁ ମୁଣ୍ଡବସାଠାରୁ ଆରମ୍ଭ ହୋଇଥିବା ମାଣିକେଶ୍ୱରୀଙ୍କ ଦଶହରା ଯାତ୍ରା ବା ଛତରଯାତ୍ରା ବିଜୟା ଦଶମୀ ତିଥିରେ ଶେଷ ହୋଇଥାଏ।
(ରିର୍ପୋଟ-ଉତ୍ତମ କୁମାର ଦାଶ, ଭବାନୀପାଟଣା,କଳାହାଣ୍ଡି)


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri