ଆଦିବାସୀଙ୍କ ଜୀବନରେଖା ‘ଦଣ୍ଡାଧର’

କାମାକ୍ଷାନଗର, (ସୁଧୀର କୁମାର ପରିଡ଼ା) ୩।୯: ବର୍ଷା ହେଲେ ପାହାଡ଼ିଆ ପାଣି ସ୍ରୋତ ଭସାଇ ନେଉଥିଲା ଚାଷ। ବର୍ଷା ନ ହେଲେ ଉଜୁଡ଼ି ଯାଉଥିଲା ଫସଲ। ତଳି ରୋଇବାଠୁ ଫସଲ ଅମଳ ଯାଏ ଲାଗି ରହୁଥିଲା ଚିନ୍ତା। ହାଡ଼ଭଙ୍ଗା ପରିଶ୍ରମ ସତ୍ତ୍ୱେ ପାଣିକୁ ଅନାଇ ଆଶାଆଶଙ୍କାରେ ରହୁଥିଲେ ଚାଷୀ। ହେଲେ ରାମିଆଳ ନଦୀରେ ଡ୍ୟାମ୍‌ ନିର୍ମାଣ ପରେ ବିକାଶର ନୂଆ ଚିତ୍ର ଦେଖୁଛି ଆଦିବାସୀ ଇଲାକା। ହଜାର ହଜାର ଏକର ଜମିକୁ ହେଉଛି ଜଳସେଚନ। ପାହାଡ଼ ତଳି ଅଞ୍ଚଳରେ ହସୁଛି ସବୁଜ ଖେତ। ଏସବୁ ସମ୍ଭବ ହୋଇପାରିଛି ଦଣ୍ଡାଧର ଡ୍ୟାମ୍‌ ପାଇଁ। ଏହି ଜଳଭଣ୍ଡାର କଙ୍କଡ଼ାହାଡ଼ ବ୍ଲକର ଆଦିବାସୀଙ୍କ ଜୀବନ ଧାରା ପାଲଟିଥିବାବେଳେ ଢେଙ୍କାନାଳ ଜିଲା ପାଇଁ ସୃଷ୍ଟି ହୋଇଛି ପର୍ଯ୍ୟଟନର ନୂଆ ସମ୍ଭାବନା।
କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ବୁଢ଼ୀବିଲ ଗ୍ରାମ ନିକଟ ରାମିଆଳ ନଦୀରେ ଅବସ୍ଥିତ ଦଣ୍ଡାଧର ଡ୍ୟାମ। ଘଞ୍ଚ ପାହାଡ଼ ଘେରା ଅଞ୍ଚଳରେ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶିର ମନୋରମ ଦୃଶ୍ୟ ଯେତିକି ଆକର୍ଷଣୀୟ, ସେତିକି ଉପାଦେୟ ଏହାର ସଂରକ୍ଷିତ ଜଳ। ପାହାଡ଼ିଆ ଅଞ୍ଚଳରେ ଚାଷୀମାନେ ଜଳଭଣ୍ଡାର ପାଣିକୁ ବ୍ୟବହାର କରି ବର୍ଷକର ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି, ଯାହା ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରିଛି। ଢେଙ୍କାନାଳ ଜିଲାର ପଛୁଆ ଅଞ୍ଚଳରେ କୃଷିକ୍ଷେତ୍ର ଉନ୍ନତିର ସ୍ବପ୍ନ ଦେଖିଥିଲେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀ। ତାଙ୍କ ଉଦ୍ୟମରେ ଏକକାଳୀନ କଙ୍କଡ଼ାହାଡ଼ର ଦଣ୍ଡାଧର ଏବଂ ପରଜଙ୍ଗର ଦଦରାଘାଟିରେ ଦୁଇଟି ନଦୀବନ୍ଧର ପରିକଳ୍ପନା କରାଯାଇଥିଲା। ୧୯୭୫ରେ ସମାନ୍ତରାଳ ଭାବେ ଉଭୟ ନଦୀବନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂର୍ବରେ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲ ସହ ବିସ୍ତୀର୍ଣ୍ଣ ପର୍ବତମାଳା, ପଶ୍ଚିମରେ କେରଜୋଳି ରାଜସ୍ବ ବିଭାଗର ଜଙ୍ଗଲ ଦେଇ ଯାଇଥିବା ରାମିଆଳ ନଦୀକୁ ବନ୍ଧାଯାଇ ୪୨୪ ମିଟର ଲମ୍ବ ବିଶିଷ୍ଟ ଦଣ୍ଡାଧର ଡ୍ୟାମ୍‌ ନିର୍ମାଣ କରାଯାଇଥିଲା। ଡ୍ୟାମ୍‌ ପାଇଁ କେନ୍ଦୁଝର ଜିଲାର ରେକୁଟି ନୂଆଗଁା, ବିରିପାଳ, କାଳିଆହତା, କାଉବସା ଆଦି ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ପରିବାରକୁ କଙ୍କଡ଼ାହାଡ଼ର କଣ୍ଟାପାଳଠାରେ ୪ କଲୋନୀରେ ଏବଂ ୮୧୩ ପରିବାରକୁ ଦଦରାଘାଟି ନିକଟ ୫ କଲୋନୀରେ ଥଇଥାନ କରାଯାଇଥିଲା। ୧୯୮୩ରେ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା ଦଣ୍ଡାଧର ଡ୍ୟାମ।
୩୨୮ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଦଣ୍ଡାଧର ଡ୍ୟାମର ଜଳଧାରଣ କ୍ଷମତା ୮୬୦୦ ଘନ ମିଟର। ଏହାର ଗଭୀରତା ୧୧୦.୬୪ ମିଟର। ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ୪ଟି ଗେଟ୍‌ ରହିଛି। ଏଠାରୁ ବାହାରିଥିବା ବାମ ଏବଂ ଦକ୍ଷିଣ କେନାଲ ମାଧ୍ୟମରେ ଜମିକୁ ଜଳଯୋଗାଣ ହୋଇଥାଏ। ମୁଖ୍ୟ ବାମ କେନାଲ ୨୨ କିମି ହୋଇଥିବାବେଳେ ମୁଖ୍ୟ ଦକ୍ଷିଣ କେନାଲର ଦୈର୍ଘ୍ୟ ୯.୬ କିମି। ଏଥିରୁ ଅନେକ ଶାଖା, ପ୍ରଶାଖା ଏବଂ ନାଳି କେନାଲ ବାହାରିଛି, ଯାହା ସହାୟତାରେ କେନାଲ ଦୂରବର୍ତ୍ତୀ ଜମିକୁ ପାଣି ଯୋଗାଣ ହେଉଛି। ଉଭୟ କେନାଲ ମାଧ୍ୟମରେ ଖରିଫ ଋତୁରେ ୬,୧୨୮ ଓ ରବି ଋତୁରେ ୩,୨୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରୁଛି। ବାମକେନାଲ ଦ୍ୱାରା କଙ୍କଡ଼ାହାଡ଼ ବ୍ଲକର କରଗୋଳା, କଙ୍କଡ଼ାହାଡ଼, ବାଲିକୁମା, ମରୁଆବିଲ, ରାଇବୋଲ, ବୀରାଶାଳ, ମକୁଆକାଟେଣୀ, ବାଟଗଁା, କାମାକ୍ଷାନଗର ବ୍ଲକର କାନପୁରା ଏବଂ ଦକ୍ଷିଣ କେନାଲ ଦ୍ବାରା କଙ୍କଡ଼ାହାଡ଼ ବ୍ଲକର କଣ୍ଟାପାଳ, କନ୍ଧରା ଆଦି ପଞ୍ଚାୟତର ଚାଷ ଜମିକୁ ଜଳଯୋଗାଣ କରିବାକୁ ଯୋଜନା ରହିଛି। ହେଲେ ବୈଷୟିକ ତ୍ରୁଟି ଏବଂ ଦିନକୁ ଦିନ ଡ୍ୟାମର ଜଳଧାରଣା କ୍ଷମତା କମିଯାଉଥିବାରୁ ତଳିଆ ଅଞ୍ଚଳକୁ ପାଣି ପହଞ୍ଚତ୍ ପାରୁନାହିଁ। ଡ୍ୟାମ ପୁନରୁଦ୍ଧାର ଏବଂ କେନାଲର ରକ୍ଷଣାବେକ୍ଷଣ କରାଗଲେ ଅଧିକ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

ଆଦିବାସୀ ଅଞ୍ଚଳର ଜୀବନରେଖା
କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ପାଇଁ ଦଣ୍ଡାଧର ଡ୍ୟାମ ଜୀବନରେଖା ସଦୃଶ। ଡ୍ୟାମ ଜଳ ପାଇଁ ଚାଷୀମାନେ ବର୍ଷତମାମ ବିଭିନ୍ନ ଫସଲ କରିପାରୁଛନ୍ତି। ପିକ୍‌ନିକ୍‌ ଋତୁରେ ଏଠାକୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେଉଛି। ଡ୍ୟାମ ପାରିପାର୍ଶ୍ୱିକ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯାଇପାରିଲେ ଆଦିବାସୀ ଅଞ୍ଚଳର ଆହୁରି ବିକାଶ ହୋଇପାରନ୍ତା।
– ଇଂ. ରାଜେଶ ଦେହୁରୀ, ବୁଦ୍ଧିଜୀବୀ

ଯତ୍ନବାନ ହେଲେ ବିସ୍ଥାପିତଙ୍କ ଦୁଃଖ ଦୂର ହେବ
ପୂର୍ବଜଙ୍କ ତ୍ୟାଗର ଫଳ ହେଉଛି ଦଣ୍ଡାଧାର ଡ୍ୟାମ। ଡ୍ୟାମ ନିର୍ମାଣକୁ ୪୫ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତ କଲୋନୀର ଦୁର୍ଦ୍ଦଶା ସରିନି। ଅନେକଙ୍କୁ ଏ ଯାଏ ଜମିପଟ୍ଟା ମିଳିପାରିନି। ସେଚ ପାଇଁ ନିର୍ମିତ କେନାଲ ବିସ୍ଥାପିତଙ୍କ କାମରେ ଆସୁନି। ଏ ସବୁ ପ୍ରତି ଯତ୍ନବାନ ହେଲେ ବିସ୍ଥାପିତଙ୍କ ଦୁଃଖ ଦୂର ହୋଇପାରନ୍ତା।
– ବଳଭଦ୍ର ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ

ପୁନରୁଦ୍ଧାର ହେଲେ ଅଧିକ ସୁଫଳ ମିଳନ୍ତା
ଦଣ୍ଡାଧର ଡ୍ୟାମ ଧୀରେ ଧୀରେ ପୋତି ହୋଇପଡୁଛି। ଏହାର ଜଳଧାରଣ କ୍ଷମତା କମିଯାଉଛି। ତଳିଆ ଅଞ୍ଚଳକୁ ପାଣି ପହଞ୍ଚତ୍ ପାରୁନାହିଁ। ଡ୍ୟାମକୁ ଗଭୀର କରାଗଲେ ଚାଷୀଙ୍କୁ ସୁଫଳ ମିଳନ୍ତା। ପର୍ଯ୍ୟଟନର ବିକାଶ ଲାଗି ମଧ୍ୟ ଏଠାରେ ଭିତ୍ତିଭୂମି ରହିଛି। ଏହାର ବିକାଶ କରାଗଲେ ଦଣ୍ଡାଧର ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରନ୍ତା।
– ଶରତ ଚନ୍ଦ୍ର ସାହୁ, ସହକାରୀ ଯନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri