Odisha Elections 2024

ଭାରତ କେତେ ସାର୍ବଭୌମ

ଆକାର ପଟେଲ
ଭାରତ କେତେ ସାର୍ବଭୌମ ଏବଂ ଏହା କେତେ ପରିମାଣରେ ଯାହା ଇଚ୍ଛା ତାହା କରିପାରିବ? ତୃତୀୟ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି ସହିତ ଆମେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର, ଦ୍ୱିତୀୟ ବୃହତ୍ତମ ଦେଶ ତଥା ଅସ୍ତ୍ରଶସ୍ତ୍ର ଆମଦାନିକାରୀ। ଯେକୌଣସି ପ୍ରକାରେ ହିସାବ କଲେ ଆମେ ନିଶ୍ଚୟ ପ୍ରଭାବଶାଳୀ। ତେବେ ବିଶ୍ୱବ୍ୟାପୀ ବିରୋଧର ସମ୍ମୁଖୀନ ହୋଇ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିପାରିବା କି? ଆମେ ଏହାକୁ ବିଚାର କରିବା ଉଚିତ କାରଣ ଇତିହାସରେ ପ୍ରଥମ ଥର ପାଇଁ ଭାରତ ନିଜ ଦେଶ ଭିତରେ ଯାହା କରିବାକୁ ଚାହୁଁଛି ସେଥିରେ ପରିବର୍ତ୍ତନ ଆଣିବା ପାଇଁ ବିଶ୍ୱଚାପର ସମ୍ମୁଖୀନ ହୋଇଛି।
ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ନାଗରିକତ୍ୱ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମ୍‌କୋର୍ଟରେ ହେବାକୁ ଥିବା ଶୁଣାଣିରେ ହସ୍ତକ୍ଷେପ କରିବାକୁ ଚାହୁଁଛନ୍ତି। ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ କଶ୍ମୀରରେ ଭାରତୀୟ କାର୍ଯ୍ୟକଳାପକୁ ନିନ୍ଦା କରିଛି ଯେଉଁଥିରେ ଉଭୟ ଦଳର ୬୬ ଜଣ ସଦସ୍ୟଙ୍କ ସମର୍ଥନ ରହିଛି। ୟୁରୋପୀୟ ୟୁନିୟନ ସଂସଦ ଖୁବ୍‌ଶୀଘ୍ର ସିଏଏ ପାଇଁ ଭାରତକୁ ନିନ୍ଦା କରୁଥିବା ଏକ ସଂକଳ୍ପ ଉପରେ ଭୋଟ ଦେବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ୫ ତାରିଖରେ ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଆୟୋଗ ସିଏଏ ଏବଂ ଏନ୍‌ଆର୍‌ସି ଉପରେ ଆଲୋଚନା କରିଛି। ଏହାର କମିଶନର ଅନୁରିମା ଭାର୍ଗବ କହିଛନ୍ତି, ”ଆଶଙ୍କା ହେଉଛି ଯେ ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ମିଳିତ ଭାବେ ଭାରତୀୟ ମୁସଲମାନମାନଙ୍କର ନାଗରିକତ୍ୱ ରଦ୍ଦ କରିପାରେ। ଏହା ସେମାନଙ୍କୁ ଦୀର୍ଘକାଳ ଧରି ଅଟକଗୃହରେ ରଖିବା, ନିଜ ଦେଶକୁ ପଠାଇଦେବା ଏବଂ ହିଂସାକାଣ୍ଡର କାରଣ ହୋଇପାରେ। ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଏହି ପ୍ରକ୍ରିୟା ଚାଲିଥିବାର ଆମେ ଦେଖିଛୁ। ଏହି ଅଞ୍ଚଳରେ ବେଆଇନ ପ୍ରବାସୀମାନଙ୍କୁ ଚିହ୍ନଟ କରିବା ପାଇଁ ଏନ୍‌ଆର୍‌ସି ଏକ ସାଧନ।“ ଦିଲ୍ଲୀ ଦଙ୍ଗା ଭଳି ଘଟଣାକୁ ନେଇ ବିଭିନ୍ନ ରାଷ୍ଟ୍ର ମଧ୍ୟ ଭାରତକୁ ନିନ୍ଦା କରିଛନ୍ତି କିମ୍ବା ଚେତାବନୀ ଦେଇଛନ୍ତି। ବ୍ରିଟେନର ହାଉସ୍‌ ଅଫ୍‌ ଲର୍ଡସ ଏବଂ ହାଉସ୍‌ ଅଫ୍‌ କମନ୍ସ ଉଭୟ ଭାରତର ନାଗରିକତ୍ୱ ଆଇନ ଏବଂ ଦଙ୍ଗାର ସମାଲୋଚନା କରିଥିଲେ। ଇଣ୍ଡୋନେସିଆ, ଇସ୍‌ଲାମିକ କାଉନସିଲ ସଂଗଠନ, ତୁର୍କୀ ଏବଂ ମାଲେସିଆ ସମସ୍ତେ ଆମ ବିରୋଧରେ ଆଲୋଚନା କରୁଛନ୍ତି। ଇରାନର ରାଜନୈତିକ ତଥା ଧାର୍ମିକ ନେତାମାନେ ଦିଲ୍ଲୀ ଦଙ୍ଗାକୁ ନିନ୍ଦାକରିବା ସହ ଆମର ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟ ରାଷ୍ଟ୍ରମାନେ ବିଭିନ୍ନ ଉପାୟରେ ସଙ୍କେତ ପଠାଇଛନ୍ତି। ଏହି ମାସରେ ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ ବାତିଲ ହୋଇଛି। ସରକାରୀ କାରଣ ହେଉଛି କରୋନା ଭାଇରସ କିନ୍ତୁ ଘୋଷଣାର ଗୋଟିଏ ଦିନ ପୂର୍ବରୁ ୫୦୦୦ ଲୋକ ଏକତ୍ରିତ ହୋଇ ସିଏଏ ପାଇଁ ଭାରତ ଏବଂ ମୋଦିଙ୍କୁ ନିନ୍ଦା କରିଥିଲେ। ମୋଦିଙ୍କ ଆଗମନ ପରେ ପରବର୍ତ୍ତୀ ବିରୋଧର ଯୋଜନା କରାଯାଇଥିଲା। ବ୍ରସେଲ୍ସରେ ୟୁରୋପୀୟ ୟୁନିୟନର ଶିଖର ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ମଧ୍ୟ ବାତିଲ କରାଯାଇଛି। ପୁଣିଥରେ ଏହି ଭୂତାଣୁକୁ ଏହାର କାରଣ ଦର୍ଶାଯାଇଥିଲା କିନ୍ତୁ ୟୁରୋପୀୟ ସଂଘର ସାଂସଦମାନଙ୍କ ଦ୍ୱାରା ଭାରତ ବିରୋଧରେ ଭୋଟ ବିଚାରାଧୀନ ଅଛି ଏବଂ ଆମେ ଏହାକୁ ବନ୍ଦ କରିବାକୁ ଅସମର୍ଥ।
ମୂଳ ପ୍ରଶ୍ନ ହେଉଛି, ବିଶ୍ୱର ବିରୋଧର ସମ୍ମୁଖୀନ ହୋଇ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିପାରିବା କି? ବୋଧହୁଏ ୧୯୯୧, ୧୯୯୮ ଏବଂ ୨୦୦୨ରେ ଆମେ ଅନୁରୂପ ଚାପର ସମ୍ମୁଖୀନ ହୋଇଥିଲୁ। ୨୦୦୨ରେ ଆମ ସଂସଦ ଉପରେ ଆକ୍ରମଣ ପରେ ଯୁଦ୍ଧକୁ ନ ଯିବା ପାଇଁ ବିଶ୍ୱ ଏବଂ ବିଶେଷକରି ଆମେରିକା ଭାରତ ଓ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲା। ପାକିସ୍ତାନ ସୀମାରେ ଭାରତ ଦ୍ୱାରା କୌଣସି ଯୁଦ୍ଧ ହୋଇ ନ ଥିଲା। ୧୯୯୮ରେ ଆମେରିକା ଅଭିଯୋଗ କରିଥିଲା ଯେ ଆମେ ଆମର ଆଣବିକ କାର୍ଯ୍ୟକ୍ରମକୁ ଅସ୍ତ୍ର ତିଆରି ପାଇଁ ବ୍ୟବହାର କରୁଛୁ। କିନ୍ତୁ ସେତେବେଳକୁ ଆମେ ଆଣବିକ ପରୀକ୍ଷା କରିସାରିଥିଲୁ। ୧୯୯୧ରେ ଆମେରିକା ଏବଂ ଅନ୍ୟାନ୍ୟ ଏଜେନ୍ସି ଭାରତକୁ ଅର୍ଥନୈତିକ ଉଦାରୀକରଣ ନୀତି ଗ୍ରହଣ କରିବାକୁ ବାଧ୍ୟ କରିଥିଲେ, ଯାହାକୁ ଆମେ ମାନିନେଇଥିଲୁ।
ବାସ୍ତବତା ହେଉଛି ଚାପ ଅଛି ଏବଂ ରହିବ କାରଣ ବିଶ୍ୱରେ ସବୁ ଦେଶର ସମସ୍ତଙ୍କ ସହ ସମ୍ପର୍କ ଅଛି। ବିଶ୍ୱ ବାଣିଜ୍ୟ ହ୍ରାସ ପାଉଥିଲେ ମଧ୍ୟ ବିଶ୍ୱ ସହିତ ଆମେ ଏତେ ଜଡିତ ଯେ ଆମେ ଯାହା କରୁ ତାହା ଅନ୍ୟମାନଙ୍କୁ ପ୍ରଭାବିତ କରେ। ମାର୍ଚ୍ଚ ୧୩ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଛନ୍ତି ଯେ, ଭାରତ ଓ ଏହାର ପଡ଼ୋଶୀ ଦେଶମାନେ କରୋନା ଭାଇରସ ସମସ୍ୟାର ସମାଧାନ କରିବେ। ସେ କହିଛନ୍ତି ସାର୍କ ରାଷ୍ଟ୍ରଗୁଡିକ କରୋନା ଭାଇରସ ସହିତ ଲଢ଼ିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରନ୍ତୁ। ଏହି ବାର୍ତ୍ତା ଆମ ପଡ଼ୋଶୀମାନଙ୍କଠାରେ ଏକ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଛି। ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ କହିଛନ୍ତି: ଏହାକୁ ଆମେ ନେତୃତ୍ୱ ବୋଲି କହିଥାଉ। ସାର୍କ ରାଷ୍ଟ୍ରଗୁଡ଼ିକର ସଦସ୍ୟ ଭାବରେ ଆମେ ଏପରି ସମୟରେ ଏକାଠି ହେବା ଜରୁରୀ। ଦୁନିଆ ପରସ୍ପର ସହ ସଂଯୁକ୍ତ ବୋଲି ହୃଦୟଙ୍ଗମ କରିବାକୁ ଆମକୁ ଏକ ରୋଗର ଆବଶ୍ୟକତା ପଡ଼ିଲା। ତେବେ ଅନ୍ୟମାନଙ୍କ ବିରୋଧର ସମ୍ମୁଖୀନ ହୋଇ ଯାହା କରିବାକୁ ଚାହୁଁଛୁ ତାହା କରିବାକୁ ଦୁନିଆର କୌଣସି ରାଷ୍ଟ୍ର ସମ୍ପୂର୍ଣ୍ଣ ସାର୍ବଭୌମ ନୁହନ୍ତି। ସିଏଏ ଏବଂ ଏନ୍‌ଆର୍‌ସି କ୍ଷେତ୍ରରେ ଭାରତ କଠିନ ଉପାୟରେ ବୁଦ୍ଧି ଶିକ୍ଷା କରୁଛି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

ଏଇ ଭାରତରେ

ଇଞ୍ଜିନିୟରିଂ ପରେ ବିହାରର ପ୍ରଭାତ କୁମାର ପାଖାପାଖି ୫୦୦ ଗ୍ରାମର ୨୫,୦୦୦ କୃଷକଙ୍କୁ ସଶକ୍ତ କରିପାରିଛନ୍ତି। କୃଷକମାନେ ପିଆଜ, ଛତୁ ଓ ମକା ଚାଷ କରି...

ପରିଶୁଦ୍ଧ କୃଷିର ଆବଶ୍ୟକତା

ଡି. ଶୁଭମ୍‌ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ମାନବ ବିଭିନ୍ନ ନୂତନ ପଦ୍ଧତି ଆପଣାଉଛି। ତେବେ ଏହାରି ମଧ୍ୟରେ ଏହି ପଦ୍ଧତିଗୁଡ଼ିକ ପରିବେଶ ଉପରେ...

ଚବାହାର ଚୁକ୍ତିନାମା-କୂଟନୈତିକ ବିଜୟ

ପ୍ରକାଶ ତ୍ରିପାଠୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଇରାନର ପାରସ୍ପରିକ ସମ୍ପର୍କ ନିରନ୍ତର ଖରାପ ଥିବାବେଳେ ଭାରତ ସହ ସମ୍ପର୍କ ସର୍ବଦା ଭଲ ରହିଆସିଛି। ବିଭିନ୍ନ ସମୟରେ...

Dillip Cherian

ପୁରୁଣା ଆଇନର ନବୀକରଣ

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri