ସାଇବର ଠକ ଲୁଟିନେଲେ ୯୬ ହଜାର

ବ୍ରହ୍ମପୁର ଅଫିସ,୩୧ା୧୨: ଜଣେ ମହିଳା ଫ୍ଲିପକାର୍ଟରେ ଏକ ସ୍ବେଟର୍‌ ମଗାଇଥିଲେ। ତାହା ପସନ୍ଦ ନ ହେବାରୁ ଫେରାଇବାକୁ ଚାହିଁଥିଲେ। ସାଇବର ଠକ କୌଣସି ସୂତ୍ରରୁ ଏହା ଜାଣିଯାଇଥିଲେ। ଅଜଣା ନମ୍ବରରୁ ସମ୍ପୃକ୍ତ ମହିଳାଙ୍କୁ ଫୋନ୍‌ କରି ବିଶ୍ୱାସଭାଜନ ହେବାପରେ ଅନଲାଇନରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ଏନେଇ ମହିଳା ଜଣଙ୍କ ସାଇବର ଅର୍ଥନେତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି।
ଅନ୍ଧପସରା ରୋଡ଼ ସ୍ଥିତ ନନ୍ଦିବିହାରରେ ରହୁଥିବା ଜଣେ ମହିଳା ଫ୍ଲିପକାର୍ଟରେ ଏକ ସ୍ବେଟର୍‌ ମଗାଇଥିଲେ, ଯାହାର ଦାମ୍‌ ୩୧୬୦ ଟଙ୍କା ଥିଲା। ଗତ ୨ ତାରିଖରେ ତାଙ୍କ ଅର୍ଡ଼ର ପହଞ୍ଚତ୍ଥିଲା। ସେ ଉଲ୍‌ ସ୍ବେଟର୍‌ ମଗାଇଥିବା ବେଳେ କଟନ୍‌ ସ୍ବେଟର୍‌ ଆସିଥିବାରୁ ତାକୁ ଫେରାଇବାକୁ ଚାହିଁଥିଲେ। ଡେଲିଭରି ବୟ ଦୁଇଥର ତାଙ୍କୁ ମନା କରିବାରୁ ବାଧ୍ୟ ହୋଇ ମହିଳା ଜଣକ କଷ୍ଟମର୍‌ କେୟାରକୁ ଗତ ୧୧ତାରିଖରେ ଯୋଗାଯୋଗ କରିଥିଲେ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶ୍ୱାସନା ମିଳିଥିଲା। ଗତ ୧୨ ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ ଫୋନକଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ସେ ଫେରସ୍ତ କରିବାକୁ ଚାହୁଁଥିବା ସ୍ବେଟରର ସବିଶେଷ ବିବରଣୀ ଦେଇଥିଲେ। ତେଣୁ ତାଙ୍କ ଉପରେ ମହିଳାଙ୍କ ବିଶ୍ୱାସ ଆସିଥିଲା। ଏହାପରେ ସେ ମୋବାଇଲ ପ୍ଲେ ଷ୍ଟୋରରୁ ‘ଏନି ଡେସ୍କ’ ଆପ୍‌ ଡାଉନଲୋଡ କରିବାକୁ କହିଥିଲେ। ଉକ୍ତ ଆପ୍‌ ଡାଉନଲୋଡ କରିବା ପରେ ଫୋନପେ ଆପ୍ଲିକେସନକୁ ଖୋଲିବାକୁ କହିଥିଲେ। ଫୋନ ପେ ଆପ୍ଲିକେସନ୍‌ ଖୋଲିବାର କିଛି ସମୟ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ଟି ଟ୍ରାଞ୍ଜାକ୍ସନରେ ୯୬,୪୪୩ଟଙ୍କା ଅନ୍ୟ ଏକ ଅଜଣା ମୋବାଇଲ୍‌ ନମ୍ବରକୁ ସ୍ଥାନାନ୍ତର ହୋଇଗଲା। ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇ ସେ ସାଇବର ଓ ଅର୍ଥନେତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ୫୫/୨୨ ରେ ଏକ ମାମଲା ରୁଜୁ କରିଛି।