କାଳ ହେଲା ଭୋଜିଖିଆ: ଝାଡ଼ାବାନ୍ତିରେ ୯୧ ଆକ୍ରାନ୍ତ

ସଜନାଗଡ, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୋଟାପଡା ଗ୍ରାମରେ ଭୋଜି ଖାଇ ୯୧ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ଜଣଙ୍କୁ ୧୦୮ ଆମ୍ବୁଲାନ୍ସ, ଟେମ୍ପୁ, ମୋଟରସାଇକେଲ ଯୋଗେ ନୀଳଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ମଧ୍ୟାହ୍ନ ସମୟରେ ଜଣେ ବ୍ୟକ୍ତିଙ୍କ ଘରେ ସଦଖିଆ, ମହାଦେବ ପୂଜା ପାଇଁ ଏକ ଭୋଜି ଆୟୋଜନ କରାଯାଇଥିଲା। ଏଥିରେ ବନ୍ଧୁବାନ୍ଧବ, ସାହି ପଡୋଶୀ ୧୦୦ରୁ ଊଦ୍ଧର୍‌ବ ପୁରୁଷ, ମହିଳା ଓ ଶିଶୁ ମାଂସ ଭୋଜି ଖାଇଥିଲେ। ଏହାର ୨୪ଘଣ୍ଟା ପରେ ଲୋକଙ୍କୁ ଝାଡ଼ାବାନ୍ତି ଆରମ୍ଭ ହୋଇଯାଇଥିଲା। ସାରେ ସେମାନଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଥିଲା। ଗୁରୁତର ହୋଇପଡିଥିବା ୨୯ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ରାତି ୯ଟାରେ ମେଡିକାଲରେ ପହଞ୍ଚି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ଏସ୍‌ଡିଏମ୍‌ଓ ଅଜୟକୃଷ୍ଣ ସାମଲ, ବାଲେଶ୍ୱରର ସିଡିଏମ୍‌ଓ ଏବଂ ଜିଲାପାଳଙ୍କୁ ଏ ବିଷୟରେ ଜଣାଇବା ସହ ଉକ୍ତ ଗ୍ରାମକୁ ଡାକ୍ତରୀଦଳ ପଠାଇବା ପାଇଁ କହିଥିଲେ। ବାଲେଶ୍ୱର ମେଡିକାଲ ଓ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍‌ ଉକ୍ତ ଗ୍ରାମରେ ପହଞ୍ଚି ୬୨ରୁ ଉଦ୍ଧର୍‌ବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଥିଲେ। ଅପରପକ୍ଷରେ ଜଣେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ରବିବାର ମଧ୍ୟାହ୍ନରେ ସିଡିଏମଓ ଦୁଲାଳସେନ ଜଗଦେବ ନୀଳଗିରି ମେଡିକାଲ ପହଞ୍ଚିବା ସହ ରୋଗୀଙ୍କ ପାଖକୁ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏସ୍‌ଡିଏମଓ ସାମଲ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି। ଉକ୍ତ ଅଞ୍ଚଳରେ ସମସ୍ତ ପାନୀୟ ଜଳଉତ୍ସକୁ ପରିମଳ କରାଯାଇଥିବାରୁ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ବିଧାୟକ ଧନ୍ୟବାଦ ଦେଇଛନ୍ତି। ଅନ୍ୟପକ୍ଷରେ ନୀଳଗିରି ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଭୟଭୀତ ହେବାର କାରଣ ନାହିଁ, ଏ ବିଷୟରେ ସେ ଜିଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ସହ ନିରନ୍ତର ସଂଯୋଗରେ ଅଛନ୍ତି।