Categories: ଫୁରସତ

୯୦ ବର୍ଷୀୟା ଫିଟନେସ୍‌ ଟ୍ରେନର୍‌: ବୟସ ତାଙ୍କ ପାଇଁ କେବଳ ଏକ ନମ୍ବର…

୯୦ ବର୍ଷ ବୟସରେ ଲୋକେ ଭଲରେ ଚାଲି ବୁଲି ପାରନ୍ତିନି। ଏମିତି କି ନିଜର ଦୈନନ୍ଦିନ କାମରେ ବି ଅନ୍ୟର ସାହାଯ୍ୟ ଲୋଡ଼ନ୍ତି। କିନ୍ତୁ ଜାପାନର ୯୦ ବର୍ଷୀୟା ମହିଳା ତାକିସିମା ମିକା ପରିଣତ ବୟସରେ ପାଲଟିଛନ୍ତି ଫିଟନେସ୍‌ ଟ୍ରେନର୍‌। ଆଉ ଯୋଗ ମାଧ୍ୟମରେ କିଭଳି ସୁସ୍ଥ ଜୀବନ ଅତିବାହିତ କରିହେବ ସେ ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ବହୁ କଷ୍ଟକର ବ୍ୟାୟାମକୁ ସେ ଏତେ ସହଜରେ କରିଦେଇପାରନ୍ତି ଯେ, ତାଙ୍କୁ ଦେଖିଲେ ଲାଗେ ବୟସ ତାଙ୍କ ପାଇଁ କେବଳ ଏକ ନମ୍ବର। ଏବେ ତାକିସିମା ପୃଥିବୀର ସବୁଠାରୁ ବୟସ୍କା ଫିଟ୍‌୍‌ନେସ୍‌ ଟ୍ରେନର୍‌ ଭାବେ ପରିଚିତ। ତେବେ ପୂର୍ବରୁ ସେ କେବେ ଜିମ୍‌ ଯାଇ ନ ଥିଲେ। ନିଜ ଶରୀର ପ୍ରତି ଧ୍ୟାନ ବି ଦେଉ ନ ଥିଲେ। ସ୍ବାମୀଙ୍କର ଏକ କଟାକ୍ଷ ଯୋଗୁ ସେ ୬୫ ବର୍ଷ ବୟସରେ ଜିମ୍‌ ଯିବା ଆରମ୍ଭ କରିଥିଲେ। ଆଉ ୧୫ କିଗ୍ରା ଓଜନକମ୍‌ କରିଥିଲେ। ଏହାପରେ ଜିମ୍‌ ଯିବା ତାଙ୍କର ନିଶା ପାଲଟିଗଲା। ୮୭ ବର୍ଷ ବୟସ ବେଳକୁ ତ ସେ ନିଜେ ଫିଟନେସ୍‌ ଟ୍ରେନର୍‌ ପାଲଟିଗଲେ। ସେ ଏତେ କର୍ମଠ ଯେ, ରାତି ୧୧ଟାରେ ଶୋଇ ପ୍ରାତଃ ୩ଟାରେ ଉଠିଯାନ୍ତି। ଆଉ ୪ କି.ମି. ଚାଲନ୍ତି ଓ ୩ କି.ମି. ଜଗିଂ କରନ୍ତି ଓ ୧ କି.ମି. ପଛୁଆ ଚାଲନ୍ତି। ଏହାପରେ ଘରେ ସୁସ୍ଥ ଜଳଖିଆ ଖାଇ ଘର କାମରେ ଲାଗିଯାନ୍ତି।

Share